ଦିଲ୍ଲୀରୁ ୯୦ରୁ ଊର୍ଦ୍ଧ, ହାଇଦ୍ରାବାଦରୁ ୩୦ରୁ କମ୍ ଯାତ୍ରୀ ଫେରିଲେ ଝାରସୁଗୁଡ଼ା

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚତୁର୍ଥ ପର୍ଯ୍ୟାୟ ଲକଡାଉନ ମଧ୍ୟରେ ଆଜି ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ବିମାନ ସେବା ଆରମ୍ଭ ହୋଇଛି। ପ୍ରଥମ ଦିନରେ ଦିଲ୍ଲୀରୁ ୯୦ରୁ ଊଦ୍ଧ୍ୱର୍ ଓ ହାଇଦ୍ରାବାଦରୁ ୩୦ରୁ କମ୍ ଯାତ୍ରୀ ଝାରସୁଗୁଡ଼ା ଆସିଛନ୍ତି। ବିମାନବନ୍ଦରରେ ଯାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ, ସ୍ୱାସ୍ଥ୍ୟବସ୍ଥା ପରୀକ୍ଷା, ହେଣ୍ଡ ସାନିଟାଇଜ, ସାମଗ୍ରୀ ସାନିଟାଇଜ କରିବା ସହ ସେମାନଙ୍କ ସବିଶେଷ ତଥ୍ୟ ତଥା ନାଁ, ଗାଁ ଓ ଠିକଣା ଆଦି ରଖିବା ସହ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କ୍ୱରେଣ୍ଟାଇନ ଅବଧି ପୁରଣ କରିବା ପାଇଁ ସଚେତନ କରାଯାଇଛି। ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କଲିକତା ଓ ଭୁବନେଶ୍ୱରକୁ ବିମାନ ସେବା ଆରମ୍ଭ ହୋଇ ନଥିଲେ ହେଁ ଖୁବଶୀଘ୍ର ଏହା ଆରମ୍ଭ ହେବ ବୋଲି ଝାରସୁଗୁଡ଼ା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି। ଅନ୍ୟପଟେ ୨ ମାସ ପରେ ବିମାନ ସେବା ଆରମ୍ଭ ହୋଇଥିବାରୁ ବିମାନବନ୍ଦରରେ ଥିବା ପ୍ରାୟ ୩୦ ଟ୍ୟାକ୍ସି ଚାଳକଙ୍କ ରୋଜଗାରର ପନ୍ଥା ପୁଣିଥରେ ଆରମ୍ଭ ହୋଇଛି। ସେମାନେ ମଧ୍ୟ କୋରନା ସଂକ୍ରମଣ ରୋକିବାକୁ ପ୍ରୟାସ କରି ମାସ୍କ ପରିଧାନ ସହ ହେଣ୍ଡ ସାନିଟାଇଜର ବ୍ୟବସ୍ଥା କରିଛନ୍ତି।