ମାର୍ଚ୍ଚରୁ ଆରମ୍ଭ ହେବ ଝାରସୁଗୁଡା-ମୁମ୍ବାଇ ବିମାନ ଚଳାଚଳ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡାରୁ ମୁମ୍ବାଇକୁ ଆସନ୍ତା ମାର୍ଚ୍ଚ ମାସରୁ ବିମାନ ସେବା ଆରମ୍ଭ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ଏସକେ ଚୌହାନ କହିଛନ୍ତି। ସେ କହିଛନ୍ତି ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ମୁମ୍ବାଇକୁ ବିମାନ ଚଳାଚଳ ପାଇଁ ରୁଟ ଅନୁମୋଦିତ ହୋଇସାରିଛି। ଆସନ୍ତା ମାର୍ଚ୍ଚ ୨୮ ସୁଦ୍ଧା ଏହି ରୁଟରେ ବିମାନ ଚଳାଚଳ ଆରମ୍ଭ ହେବ। ମୁମ୍ବାଇରୁ ବିମାନ ଝାରସୁଗୁଡା ଆସି ପୁଣି ମୁମ୍ବାଇ ଯିବାର ଯୋଜନା ରଖାଯାଇଛି। ଏଥିପାଇଁ ଦିଲ୍ଲୀ ସେକ୍ଟରକୁ ଚଳା ଚଳ ହେଉଥିବା ବିମାନ ପରି ଏକ ବଡ ବୋଇଙ୍ଗ ବିମାନ ୭୩୭ ରେ ଏହି ସେବା ଆରମ୍ଭ କରାଯିବ ବୋଲି ଶ୍ରୀ ଚୌହାନ ସୂଚାନା ଦେଇଛନ୍ତି।

ପ୍ରକାଶ ଯୋଗ୍ୟ ଯେ, ଝାରସୁଗୁଡ଼ା ବିମାନ ବନ୍ଦର ଉଦଘାଟନର ଚାରିମାସ ପରେ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ୬ ଟି ସହରକୁ ବିମାନ ଚଳାଚଳ କରିବାକୁ ବେସମରିକ ବିମାନ ଚଳାଚଳ ମନ୍ତ୍ରାଳୟ ଉଡ଼ାନ ୩ ଜରିଆରେ ଘୋଷଣା କରିଥିଲା। ସେଥିମଧ୍ୟରୁ ୫ଟି ସହରକୁ ବିମାନ ସେବା ଆରମ୍ଭ ହୋଇଥିବା ବେଳେ ମୁମ୍ବଇ-ଝାରସୁଗୁଡା ବିମାନ ଚଳାଚଳ କରିବାକୁ ବିଟ ହାସଲ କରିଥିବା ଜେଟ ଏୟାରୱଜ୍ ଦେବାଲିଆ ହେଲାପରେ ଝାରସୁଗୁଡା ମୁମ୍ବାଇ ବିମାନ ସେବା ଅନିଶ୍ଚିଚତା ଘେରରେ ରହିଥିଲା। ତେବେ ଗତ ସୋମବାର ଏଲାୟନ୍ସ ଏୟାର କୋଲକାତାକୁ ବିମାନ ସେବା ଆରମ୍ଭ କରିଥିବା ବେଳେ ଜାନୁୟାରୀ ୩୧ରୁ ଝାରସୁଗୁଡାରୁ ଭୁବନେଶ୍ୱର ଦେଇ ବାରଣାସୀକୁ ବିମାନ ସେବା ଆରମ୍ଭ ଓ ମାର୍ଚ୍ଚ ୨୮ ସୁଦ୍ଧା ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ ବୁଧବାର ସ୍ପଷ୍ଟ କରିଛନ୍ତି।

ଏବେ ଝାରସୁଗୁଡାରୁ ଭୁବନେଶ୍ୱର, ରାୟପୁର, କୋଲକାତା, ହାଇଦ୍ରାବଦ, ଦିଲ୍ଲୀକୁ ବିମାନ ଚଳାଚଳ କରୁଛି। ତେବେ ବାରଣାସୀ ଓ ମୁମ୍ବାଇକୁ ବିମାନ ସେବା ଆରମ୍ଭ ହେବା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦର ତଥା ଜିଲ୍ଲା ତଥା ପୋଡୋଶୀ ଜିଲା୍ଲ ପାଇଁ ଅନେକ ମାତ୍ରାରରେ ଲାଭ ଦାୟକ ହେବ ବୋଲି ବୁଦ୍ଧିଜିବୀମାନେ ମତ ଦେଇଛନ୍ତି। ଅନ୍ୟପଟେ ଜିଲ୍ଲାବାସୀ ଝାରସୁଗୁଡାରୁ ବେଙ୍ଗୋଲୋରକୁ ମଧ୍ୟ ବିମାନ ଚଳାଚଳ ପାଇଁ ଦାବି କରିଛନ୍ତି। ସେମାନେ କହିଛନ୍ତି ଝାରସୁଗୁଡା ଜିଲ୍ଲା ତଥା ଆଖପାଖ ଅଂଚଳର ଲୋକେ ଚାକିରୀ, ସ୍ୱାସ୍ଥ୍ୟ ସେବା ତଥା ଶିକ୍ଷା ପାଇଁ ବେଙ୍ଗଲୋର ଉପରେ ଅନେକ ମାତ୍ରାରେ ନିର୍ଭର କରୁଛନ୍ତି। ତେଣୁ ବେଙ୍ଗଲୋରକୁ ମଧ୍ୟ ବିମାନ ସେବା ପ୍ରଦାନ କରିବାର ଆବଶ୍ୟକତା ରହିଛି।