ଝାରସୁଗୁଡ଼ା ସହରରେ ସାତ ଦିନିଆ ସଟଡାଉନ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: କରୋନା ସଂକ୍ରମଣ ଉପରେ ରୋକ ଲଗାଇବା ପାଇଁ ଆସନ୍ତା ସାତ ଦିନ ପାଇଁ ଝାରସୁଗୁଡ଼ା ସହରାଞ୍ଚଳକୁ ସଟଡାଉନ ଘୋଷଣା କରାଯାଇଛି। ଅଗଷ୍ଟ ୩୦ରୁ ସେପ୍ଟେମ୍ବର ୫ ତାରିଖ ପର୍ଯ୍ୟନ୍ତ ଏହି ସଟଡାଉନ ଜାରି ରହିବ ବୋଲି ଜିଲ୍ଲାପାଳ ସରୋଜ କୁମାର ସାମଲ କହିଛନ୍ତି । ଅନ୍ୟପଟେ ଆସନ୍ତା ଶନି ଓ ରବିବାର ହେବାକୁ ଥିବା ସପ୍ତାହନ୍ତ ସଟଡାଉନକୁ ପ୍ରତ୍ୟାହାର କରାଯାଇଥିବା ନେଇ ଜିଲ୍ଲାପାଳ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଝାରସୁଗୁଡ଼ା ସହରାଞ୍ଚଳରେ ଗତ ସାତଦିନ ମଧ୍ୟରେ ୧୮୦ରୁ ଉର୍ଦ୍ଧ କୋଭିଡ ପଜିଟିଭ ମାମାଲା ସାମ୍ନାକୁ ଆସିଛି। ସହରାଞ୍ଚଳର ଭିନ୍ନ ଭିନ୍ନ ସ୍ଥାନରେ ଏଭଳି ପଜିଟିଭ ରୋଗୀ ଚିହ୍ନଟ ହେବାପରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା ଦେଖାଦେଇଛି।

ସୂଚନାଯୋଗ୍ୟ, ସଟଡାଉନ ସମୟରେ ସକାଳ ୬ଟାରୁ ପୂର୍ବାହ୍ନ ୧୧ଟା ଯାଏ ଔଷଧ, ରାସନ ସାମଗ୍ରୀ, ପନିପରିବା, କ୍ଷୀର, ଅଣ୍ଡା, ମାଛ ଦୋକାନ ଖୋଲା ରହିବ। ମେଡିକାଲ କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କ୍ଷେତ୍ରରେ ଯାତାୟାତକୁ ବାରଣ କରାଯାଇଛି। କେବଳ ପାଦଚଳା ଯାତ୍ରୀଙ୍କୁ ଅନୁମୋଦିତ ସମୟ ମଧ୍ୟରେ ଯାତାୟାତ ଅନୁମତି ରହିବ। ବ୍ୟାଙ୍କରେ ସାମାଜିକ ଦୂରତା ରକ୍ଷାକୁ ଗୁରୁତ୍ୱ ଦେଇ କାର୍ଯ୍ୟ ପାଇଁ ଅନୁମତି ରହିଛି। ଶିଳ୍ପସଂସ୍ଥାର ମାଲିକମାନେ କର୍ମଚାରୀଙ୍କ ଯାତାୟାତ ଲାଗି ସପ୍ତାହାନ୍ତ ସଟଡାଉନ ଭଳି ବସ ଚଳାଚଳ କରିପାରିବେ। ରେଳ ଷ୍ଟେସନ ଏବଂ ବିମାନବନ୍ଦରକୁ ଯାତାୟାତ ଲାଗି ଯାତ୍ରୀଙ୍କୁ ଅନୁମତି ରହିବ। ଜରୁରୀ ସେବା ପ୍ରଦାନକାରୀଙ୍କ ଯାତାୟାତ ପାଇଁ ଅନୁମତି ରହିବ। କେବଳ ଅନୁମତିପ୍ରାପ୍ତ ଦୋକାନଗୁଡ଼ିକ ନିର୍ଦ୍ଧାରିତ ସମୟରେ ଖୋଲା ରଖିବା ବ୍ୟତୀତ ସମସ୍ତ ଦୋକାନ ବନ୍ଦ ରହିବ। ସେହିପରି ଭୂଷଣ ଷ୍ଟିଲ କାରଖାନାର ଏକ ତୃତୀୟାଂଶ କର୍ମଚାରୀ ଯେଉଁମାନେ ଝାରସୁଗୁଡ଼ାରେ ରହୁଛନ୍ତି ସେମାନେ ୩୧ ତାରିଖଠାରୁ ସେପ୍ଟେମ୍ବର ୯ ଯାଏଁ ଦଶ ଦିନ ଲାଗି ଗୃହ ସଂଗରୋଧରେ ରହିବେ। ଅବଶିଷ୍ଟ ଦୁଇ ତୃତୀୟାଂଶ ଶ୍ରମିକଙ୍କ ପାଇଁ ପର୍ଯ୍ୟାୟକ୍ରମେ ଦଶ ଦିନିଆ ଗୃହ ସଂଗରୋଧ ବାଧ୍ୟତାମୂଳକ ହେବ। ଏହାର ତାଲିକା ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇସାରିଛି ବୋଲି ସୂଚନା ମିଳିଛି।