୨୮ରୁ ଝାରସୁଗୁଡାରୁ ଚେନ୍ନାଇକୁ ଉଡ଼ିବ ବିମାନ

ମୁମ୍ବାଇକୁ ପ୍ରତିଦିନ ବିମାନ ସେବା

ଝାରସୁଗୁଡ଼ା, ଏନ୍ଏନ୍ଏସ୍: ଆସନ୍ତା ମାର୍ଚ୍ଚ ୨୮ ତାରିଖରୁ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସଜେଟର ୧୮୯ ସିଟ୍ ବିଶିଷ୍ଟ ବିମାନ ଚେନ୍ନେଇକୁ ଉଡିବ। ମାର୍ଚ୍ଚ ୨୮ରୁ ଆରମ୍ଭ ହେଉଥିବା ସମର ସିଡ୍ୟୁଲରେ ଏହି ବିମାନଟି ନୂତନ ଭାବରେ ଝାରସୁଗୁଡାରୁ ସେବା ଆରମ୍ଭକରି ପ୍ରତିଦନ ଝାରସୁଗୁଡାରୁ ଚେନ୍ନାଇ ମଧ୍ୟରେ ଚଳାଚଳ କରିବ। ସେହିପରି ସପ୍ତାହକୁ ଚାରିଦିନ ଚାଲିଥିବା ଝାରସୁଗୁଡାରୁ ମୁମ୍ବାଇ ବିମାନ ୨୮ ତାରିଖରୁ ପ୍ରତିଦିନ ଚାଲିବ ଏବଂ ଝାରସୁଗୁଡା- ବେଙ୍ଗଲୋର ବିମାନ ସପ୍ତାହକୁ ୩ ଦିନ ଚାଲିବ ବୋଲି ଆଜି ଝାରସୁଗୁଡା ବୀର ସୁରନ୍ଦ୍ର ସାଏ ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି ସୂଚନା ଦେଇଛନ୍ତି। ସେ କହିଛନ୍ତି , ଇଣ୍ଡିଗୋ ମଧ୍ୟ ଝାରସୁଗୁଡାରୁ ଦେଶର ବିଭିନ୍ନ ପ୍ରାନ୍ତକୁ ବିମାନ ସେବା ପ୍ରଦାନ କରିବା ପାଇଁ ଯୋଜନା ରଖିଛି। ଏଥିପାଇଁ ଇଣ୍ଡିଗୋ କର୍ତ୍ତୃପକ୍ଷ ଝାରସୁଗୁଡା ବିମାନ ବନ୍ଦର କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିବାସହ ବିମାନ ବନ୍ଦର ପରିଦର୍ଶନ କରିସାରିଛନ୍ତି। ତେଣୁ ଝାରସୁଗୁଡାରୁ ଜୁନ୍ ମାସ ମଧ୍ୟରେ ଇଣ୍ଡିଗୋ ମଧ୍ୟ ବିମାନ ସେବା ପ୍ରଦାନ କରିପାରେ ବୋଲି ଶ୍ରୀ ସେନାପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ପୁଣେ, ନାଗପୁର, ଗୌହାଟି, ଅହମ୍ମଦାବାଦ ପରି ସହରକୁ ମଧ୍ୟ ବିମାନ ସୋବା ଆରମ୍ଭ କରିବା ପାଇଁ ଆଶା କରାଯାଉଛି।