ଲକଡାଉନ ଯୋଗୁଁ ମିଳୁନି ସୂତା, ମାସେ ହେଲାଣି ଚାଲିନି ମଙ୍ଗା

ଝାରସୁଗୁଡା,ଏନ୍ଏନ୍ଏସ୍ : ମନୁଷ୍ୟର ମୁଖ୍ୟ ଆବଶ୍ୟକତା ହେଉଛି ଖାଦ୍ୟ, ବସ୍ତ୍ର ଓ ବାସଗୃହ। ବିଭିନ୍ନ ପ୍ରକାରର ବସ୍ତ୍ର ଆମ ଦେଶରେ ତିଆରି ହୋଇଥାଏ। ସେଥିମଧ୍ୟରୁ ସମ୍ବଲପୁରୀ ବସ୍ତ୍ର ଅନ୍ୟତମ। ଏହି ବସ୍ତ୍ରକୁ ବୁଣିବାରେ ପଶ୍ଚିମ ଓଡିଶାର ବୁଣାକାରମାନେ ପାରଙ୍ଗମ। ଝାରସୁଗୁଡା ଜିଲ୍ଲାରେ ବସବାସ କରୁଥିବା ବହୁ ବୁଣାକାର ପରିବାର ପିଢୀ ପରେ ପିଢୀ ସମ୍ବଲପୁରୀ ବସ୍ତ୍ର ବୁଣି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି। ଏହି ବୁଣାକାରମାନେ ମହାଜନ ଠାରୁ ସୂତା ଆଣି ବସ୍ତ୍ର ତିଆରି କରି ପୁଣି ମହାଜନକୁ ବସ୍ତ୍ର ବିକ୍ରି କରନ୍ତି। ଅଥବା ତିଆରି କରୁଥିବା ବସ୍ତ୍ରକୁ ବଜାରରେ ବିକ୍ରି କରନ୍ତି। ହଲେ ଲକ ଡାଉନ ଯୋଗୁଁ ବର୍ତମାନ ଏମାନଙ୍କ ପାଖରେ ସୂତାର ଅଭାବ ଦେଖାଦେଇଛି। ନା ମହାଜନ ଏମାନଙ୍କୁ ସୂତା ଆଣି ଦେଇ ପାରୁଛି। ନା ଏମାନେ ବଜାରକୁ ଯାଇ ସୂତା କିଣି ଆଣି ପାରୁଛନ୍ତି ।

ସୂତା ନଥିବାରୁ ଏମାନଙ୍କର ମଙ୍ଗା( କପଡା ତିଆରି କରୁଥିବା ହାତ ଚାଳିତ ଯନ୍ତ୍ର) ଚଲୁ ନାହିଁ। ମାସ ମାସ ଧରି କାମ ବନ୍ଦ ଥିବାରୁ ଏାମନେ ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତ।  ଝାରସୁଗୁଡା ଜିଲ୍ଲାରରେ ସାଗରପାଲି, ଧୂଲୁଣ୍ଡା, ଚାରପାଲି, ଝାରୁପଡ଼ା, ପଲସଦା, ମଚିଦା, ବରଝା, ଅତାବିରା, ପଣ୍ଡରୀ, ଲୁଆବଗା ଆଦି ଅନେକ ଗ୍ରାମ ଗୁଡ଼ିକରେ ଏକ ନିର୍ଦ୍ଧିଷ୍ଟ ସମ୍ପ୍ରଦାୟର ଲୋକେ ତନ୍ତ ବୁଣାକୁ କୈଳିକ ବୃତି ଭାବରେ ଆପଣେଇଛନ୍ତି । ଏହି ସ୍ଥାନଗୁଡ଼ିକର ବୁଣାକାରମାନେ ସପରିବାର ମିଶି ବିଭିନ୍ନ ପ୍ରକାରର ଆକର୍ଷଣୀୟ ସମ୍ବଲପୁରୀ ଶାଢ଼ୀ ସହିତ ସୂର୍ଯ୍ୟକାନ୍ତୀ ଲୁଙ୍ଗି, ସାର୍ଟ କପଡ଼ା, ଥାନ କପଡ଼ା, ସାଟ୍, ଗାମୁଛା, ଧୋତି ଆଦି ତିଆରି କରନ୍ତି। କିନ୍ତୁ ଲକଡାଉନ ଯୋଗୁଁ ଏବେ ସେମନଙ୍କର କାମ ସମ୍ପୂର୍ଣ୍ଣ ବନ୍ଦ ରହିଛି। ଅନ୍ୟପଟେ ପରିବାର ପ୍ରତିପୋଷଣ ପାଇଁ ଏହାଛଡା

ଏମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ବ୍ୟବସ୍ଥା ମଧ୍ୟ ନାହିଁ। ଫଳରେ ଏବେ ଝାରସୁଗୁଡା ଜିଲ୍ଲାର ଶହଶହ ବୁଣାକାରଙ୍କ ପରିବାର ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି। ମହାମାରୀ କରୋନା ଏବେ ଏହି ବୁଣାକାରଙ୍କ କୌଳିକ ବୃତି, ମୁହଁରୁ ହସ ଓ ପେଟରୁ ଦାନା ଛଡାଇ ନେଇଛି। ଲକ ଡାଉନ ଯୋଗୁଁ ମାସମାସ ଧରି ଶାଢି ଖଣ୍ଡିଏ ତିଆରି କିମ୍ବା ବିକ୍ର କରି ନଥିବାରୁ ଏମାନଙ୍କ ଆର୍ଥିକ ମେରୁଦଣ୍ଡ ଏବେ ଭାଙ୍ଗି ପଡିଛି। ଅନ୍ୟପଟେ ଲକ ଡାଉନ ଯୋଗୁଁ ସରକାରଙ୍କ ପକ୍ଷରୁ ମିଳିଥିବା ସହାୟତା ରାଶି ଶେଷ ହୋଇ ସାରିଛି। ତେଣୁ ଅତ୍ୟାବଶ୍ୟକ ତଥା ଖାଉଟୀ ସାମଗ୍ରୀ କିଣିବା ପାଇଁ ଏମାନେ ଏବେ ଧାର କରଜ କରିବାକୁ ବାଧ୍ୟ ହେଉଛନ୍ତି।

ଲକ ଡାଉନ ଖୋଲି ବଜାର ସାମନ୍ୟ ନ ହେଲାଯାଏଁ ସେମାନଙ୍କୁ ସୂତା ମିଳିବ ନାହିଁ କିମ୍ବା ପୂର୍ବରୁ ତିଆରି କରି ରଖିଥିବା ଖଣ୍ଡେ ଦି ଖଣ୍ଡ ଶାଢୀକୁ ମଧ୍ୟ ସେମାନେ ବିକ୍ରି କରି ପାରିବେ ନାହିଁ। ତେଣୁ ସରକାରଙ୍କ ପକ୍ଷରୁ ଏହି ବୁଣାକାରମାନଙ୍କୁ ସହାୟତା କରା ନ ଗଲେ ବୁଣାକାରମାନେ ଭୋକଉପାସରେ ଦିନ କାଟିବେ ବୋଲି ସାଗରପାଲି ଗ୍ରାମର ସମ୍ବଲପୁରୀ ବସ୍ତ୍ର ବୁଣାକାର ଯଦୁମଣି ମେହେର କହିଛନ୍ତି। ସେହିପରି ହସ୍ତତନ୍ତକୁ ଜୀବିତ ରଖିବା ପାଇଁ ଲକ ଡାଉନ ଖୋଳିଲା ପରେ ମଧ୍ୟ ସରକାରୀ ପ୍ରୋତ୍ସାହନ, ସ୍ୱଳ୍ପ ମୂଲ୍ୟରେ କଂଚାମାଲ ଓ ଏହାର ବଜାରୀ କରଣର ଆବଶ୍ୟକତା ରହିଛି ବୋଲି ଅଂଚଳର ଅନ୍ୟ ବୁଣାକାରମାନେ କହିଛନ୍ତି। ଅନ୍ୟଥା ଜିଲ୍ଲାର ଶହଶହ ବୁଣାକାର ନିଜର କୌଳିକ ବୃତି ଛାଡି ଦାଦନ ଖଟିବାକୁ ଯିବା ପାଇଁ ବାଧ୍ୟ ହେବେ ବୋଲି ସେମାନେ କହିଛନ୍ତି ।