ଝାରସୁଗୁଡ଼ାରେ ୫୦ଟି ସ୍ଥାନରେ କଣ୍ଟେନମେଣ୍ଟ ଜୋନ୍

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଝାରସୁଗୁଡା ଜିଲ୍ଲାରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୪୩୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ଆକ୍ରାନ୍ତଙ୍କ ମଧ୍ୟରେ ଝାରସୁଗୁୂଡ଼ା ପୌରପରିଷଦ ଅଞ୍ଚଳରୁ ୭୨ଜଣ, ବେଲପାହାଡ଼ ପୌରପରିଷଦ ଅଞ୍ଚଳରୁ ୫ଜଣ, ବ୍ରଜରାଜନଗର ପୌରପରିଷଦରୁ ୩୮ଜଣ, ଝାରସୁଗୁଡା ବ୍ଲକରୁ ୪୨ଜଣ, ଲଖନପୁର ବ୍ଲକରୁ ୫୩ଜଣ, ଲଇକେରା ବ୍ଲକରୁ ୪୦ଜଣ, କୋଲାବିରା ବ୍ଲକରୁ ୫୦ଜଣ, କିର୍ମିରା ବ୍ଲକରୁ ୧୦ ଜଣ ରହିଥିବାବେଳେ ବାହାର ଜିଲ୍ଲାର ହସ୍ପିଟାଲରେ ୧୨୩ଜଣ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ସୂଚନା ଦେଇଛି। ଅନ୍ୟପଟେ ଝାରସୁଗୁଡାରେ ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେ ପୂର୍ବ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସି ପଜିଟିଭ ହୋଇଥିବାବେଳେ ସମସ୍ତେ ଗୃହ ସଙ୍ଗରୋଧରେ ଥିବା ଜିଲ୍ଲା ଲୋକ ସମ୍ପର୍କ ଅଧିକାରୀ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି।

ସେହିପରି କରୋନାର ଦ୍ୱିତୀୟ ଲହରୀରେ ଜିଲ୍ଲାରେ ବଢି ଚାଲିଥିବା ସଂକ୍ରମଣକୁ ଆୟତ କରିବା ପାଇଁ ପ୍ରଶାସନ ପକ୍ଷରୁ ଏଯାବତ ଜିଲ୍ଲାର ୬୮ଟି ସ୍ଥାନରେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଲଗାଯାଇଛି। ସେଥିମଧ୍ୟରୁ ୧୮ଟି ପ୍ରତ୍ୟାହୃତ ହୋଇ ସାରିଥିବେଳେ ୫୦ଟି ସ୍ଥାନରେ ଏବେବି କଣ୍ଟେନମେଣ୍ଟ ଜୋନ୍ ଲାଗୁରହିଛି। ଏହାସହ ରେଲ ବା ବିମାନ ଯୋଗେ ଜିଲ୍ଲାକୁ ଆସୁଥିବା ଯାତ୍ରୀଙ୍କ ସମସ୍ତ ତଥ୍ୟ ସଂଗ୍ରହ କରାଯାଇ ତାଙ୍କର କୋଭିଡ ଟେଷ୍ଟ ରିପୋର୍ଟ ଯାଂଚ କରାଯିବାସହ ଜିଲ୍ଲବାସୀଙ୍କୁ କରୋନାର ସମସ୍ତ ଗାଇଡଲାଇନ ପାଳନ କରିବା ପାଇଁ ବାରମ୍ବାର ସଚେତନ କରାଯାଉଛି। ସେହିପରି ରାତ୍ରୀକାଳୀନ କର୍ଫ୍ୟୁ ଓ ସପ୍ତାହନ୍ତ ସଟଡାଉନ ଝାରସୁଗୁଡାରେ ଲାଗୁ କରାଯାଇଥିବାବେଳ ଛତିଶଗଡ ସୀମାନ୍ତରେ ୧୮ଟି ପୁଲିସ ଦଳ ଦିବାରାତି ମୁତୟନ ରହିଛନ୍ତି। ଅନ୍ୟପଟେ ଜିଲ୍ଲାରେ ଏପର୍ଯ୍ୟନ୍ତ ୧୨ହଜାର ୯୯ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧ହଜାର ୪ଶହ ଜଣଙ୍କୁ ଟୀକା ପ୍ରଦାନ କରାଯାଇଛି।