ଚିକିତ୍ସାଳୟରୁ ସ୍ୱାମୀ ନିଖୋଜ; ତା’ପରେ କ’ଣ ହେଲା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଝାରସୁଗୁଡ଼ା,ଏନ୍ଏନ୍ଏସ୍: ଚିକିତ୍ସାଳୟରୁ ସ୍ୱାମୀ ନିଖୋଜ। ନିଖୋଜ ସ୍ୱାମୀକୁ ଖୋଜିବା ପାଇଁ ପୁଲିସକୁ କହିବା ସତ୍ତେ୍ୱ କିଛି ଶୁଣି ନଥିଲେ। ପରେ କିଛି ଉପାୟ ପାଇ ସାଇକେଲ ଯୋଗେ ଖୋଜୁଛନ୍ତି ସ୍ତ୍ରୀ। ଏମିତି ଏକ ଘଟଣା ଝାରସୁଗୁଡ଼ା ଜିଲ୍ଲାରେ ଦେଖିବାକୁ ମିଳିଛି।

ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଜେନେରାଲ ୱାର୍ଡରେ ଚିକିତ୍ସିତ ହେଉଥିବା ଧନେଶ୍ୱର ଜାମଡୁଲିଆ(୨୫) ଗତ ୧୩ ତାରିଖରୁ ନିଖୋଜ ହୋଇଥିବା ତାଙ୍କ ପତ୍ନୀ ଗଣମାଧ୍ୟମ ନିକଟରେ ପ୍ରକାଶ କରିଛନ୍ତି। ସ୍ୱାମୀ ନିଖୋଜ ହେବା ପରେ ଜିଲ୍ଲା ଚିକିତ୍ସାଳୟରେ ଥିବା ବିଟ ହାଉସର ପୁଲିସ କର୍ମଚାରୀଙ୍କୁ ସେ ଏବିଷୟରେ ଅବଗତ କରାଇ ଏକ ରିପୋର୍ଟ ଲେଖିବା ସହ ଖୋଜିବାରେ ସହଯୋଗ କରିବା ପାଇଁ କହିଥିଲେ। ହେଲେ ବିଟ ହାଉସରେ କାର୍ଯ୍ୟରତ ପୁଲିସ ତାଙ୍କୁ ଟାଉନ ଥାନା ଯାଇ ଅଭିଯୋଗ କରିବା ପାଇଁ କହିଥିଲେ। ତେବେ ମହିଳା ଜଣକ ଟାଉନ ଥାନା ଦେଖି ନଥିବାବେଳେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ କୌଣସି ଯାନବାହାନ ଚଳାଚଳ କରୁ ନଥିବାରୁ ତାଙ୍କୁ ସେଠାକୁ ନେବା ପାଇଁ ବିନତୀ କରିଥିଲେ। ହେଲେ ବିଟ ହାଉସ ପୁଲିସ ତାଙ୍କ କଥା ଶୁଣି ନଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି। ଅନ୍ୟପଟେ ପୁଲିସ କୌଣସି ସହଯୋଗ ନକରିବାରୁ ସେ ବେଲପାହାଡ଼ସ୍ଥିତ ଘରକୁ ଫେରି ଏକ ସାଇକେଲ ଯୋଗେ ସ୍ୱାମୀଙ୍କୁ ଖୋଜୁଥିବା କହିଛନ୍ତି। ତେବେ ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଜଗଦିଶ ଚନ୍ଦ୍ର ବାରିକଙ୍କୁ ପଚାରିବାରୁ କହିଛନ୍ତି କି, ଏପରି କିଛି ଅଭିଯୋଗ ଆମ ପାଖକୁ ଆସିନାହିଁ। ତଥାପି ଏହାର ତଦନ୍ତ କରି ଚିକିତ୍ସାଳୟ ପକ୍ଷରୁ ପୁଲିସ ନିକଟରେ ଏକ ଅଭିଯୋଗ କରାଯିବ।

ସୂଚନାନୁଯାୟୀ, ଗତ ୧୧ ତାରିଖ ଧନେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ଗୋମାଡ଼େରାସ୍ଥିତ ଟିଆରଏଲ ହସ୍ପିଟାଲକୁ ସ୍ତ୍ରୀ ସାବିତ୍ରୀ ନେଇଥିଲେ। ସେଠାରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ୧୩ ତାରିଖ ତାଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିଥିଲା। ଔଷଧ ଓ ଡିସଚାର୍ଜ ପ୍ରଣାଳୀ ପୁରା ହେଲା ପରେ ସେମାନଙ୍କୁ ଛାଡ଼ି ଦିଆଯିବ ବୋଲି ଡାକ୍ତର କହିଥିଲେ। ତେଣୁ ମହିଳା ଜଣକ ଔଷଧ ପାଇଁ କାଉଣ୍ଟରକୁ ଯାଇ ଜେନେରାଲ ୱାର୍ଡକୁ ଫେରିଲା ପରେ ତାଙ୍କ ସ୍ୱାମୀଙ୍କୁ ପାଇନଥିଲେ। ଏନେଇ ଆଖପାଖ ବେଡରେ ଥିବା ରୋଗୀଙ୍କୁ ପଚାରିବାରୁ ସେ ଏବେ ଶଯ୍ୟାରୁ ଉଠିକି ବାହାରକୁ ଯାଇଥିବା କହିଥିଲେ। ହେଲେ ଚିକିତ୍ସାଳୟ ବାହାରେ ସାବିତ୍ରୀ ବହୁ ଖୋଜାଖୋଜି ପରେ ମଧ୍ୟ ସ୍ୱାମୀକୁ ପାଇ ନଥିବା ପ୍ରକାଶ କରିଛନ୍ତି।