ଆବାସ ଯୋଜନାରେ ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଜେଇ

ପାଟଣାଗଡ଼,ଏନ୍ଏନ୍ଏସ୍: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପାଟଣାଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦର ଜେଇ ଦେବୀପ୍ରସାଦ ମିଶ୍ର ୩ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗିର ଭିଜିଲାନ୍ସ ଚଢ଼ଉ କରି ତାଙ୍କୁ ଗିରଫ କରିଛି। ସୂଚନା ଅନୁସାରେ ଏନଏସି ୧୨ ନମ୍ବର ୱାର୍ଡର ଟଂକଧର କୁମ୍ଭାର ଏନଏସି ତରଫରୁ ଏକ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୨ ଲକ୍ଷ ଟଙ୍କାର ବାସଗୃହ ପାଇଥିଲେ।

ଶ୍ରୀ କୁମ୍ଭାର ୩ଟି କିସ୍ତିରେ ଲକ୍ଷେ ୬୦ ହଜାର ଟଙ୍କା ପୂର୍ବରୁ ନେଇଥିଲେ। ବାକି ୪୦ ହଜାର ଟଙ୍କା ପାଇଁ ଏନଏସିକୁ ଯାଇଥିଲେ, ମାତ୍ର ଜେଇ ଦେବୀପ୍ରସାଦ ମିଶ୍ର ୩ ହଜାର ଟଙ୍କା ନ ଦେଲେ ବିଲ କରିବି ନାହିଁ ବୋଲି କହିଥିଲେ। କୁମ୍ଭାର ଆଜି ଜେଇଙ୍କୁ ୩ ହଜାର ଟଙ୍କା ଲାଞ୍ଚ ଦେଉଥିବା ବେଳେ ଡିଏସପି କାଦମ୍ବିନୀ ସାମଲଙ୍କ ନେତୃତ୍ୱରେ ଏକ ଟିମ ଚଢ଼ଉ କରି ଜେଇଙ୍କୁ ଗିରଫ କରିଥିବା ଜଣାପଡ଼ିଛି।