ଜୟଶଙ୍କରଙ୍କ ତିନିଦିନିଆ ଶ୍ରୀଲଙ୍କା ଗସ୍ତ

ନୂଆଦିଲ୍ଲୀ,ଏଜେନ୍ସି: ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ମଙ୍ଗଳବାର ଠାରୁ ତିନିଦିନିଆ ଶ୍ରୀଲଙ୍କା ଗସ୍ତରେ ଯାଇଛନ୍ତି। ସେ ଏହି ଗସ୍ତକାଳରେ ଶ୍ରୀଲଙ୍କାର ନେତୃବୃନ୍ଦଙ୍କ ସହ ଦ୍ୱିପାକ୍ଷୀକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବେ। ଶ୍ରୀଲଙ୍କାର ବୈଦେଶିକ ମନ୍ତ୍ରୀ ଦିନେଶ ଗୁଣବର୍ଦ୍ଧେନଙ୍କ ଆମନ୍ତ୍ରଣ କ୍ରମେ ଜୟଶଙ୍କର ଏହି ଗସ୍ତ କରିଛନ୍ତି।

ମିଳିଥିବା ରିପୋର୍ଟ ଅନୁଯାୟୀ ଜୟଶଙ୍କର ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତବାୟା ରାଜପାକ୍ଷ ଓ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷଙ୍କ ସହ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଶ୍ରୀଲଙ୍କା ପ୍ରତିପକ୍ଷ ମହିନ୍ଦା ରାଜପାକ୍ଷଙ୍କ ମଧ୍ୟରେ ଭର୍ଚୁଆଲ ଶୀର୍ଷ ସମ୍ମିଳନୀର ତିନିମାସ ପରେ ଜୟଶଙ୍କର ଏହି ଦେଶଗସ୍ତରେ ଯାଇଛନ୍ତି। ଚଳିତବର୍ଷ ବୈଦେଶିକ ବ୍ୟାପାର ମନ୍ତ୍ରୀଙ୍କର ଏହା ପ୍ରଥମ ବିଦେଶ ଗସ୍ତ।