ଜୟନ୍ତୀ ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ, ମୁଖାଗ୍ନି ଦେଲେ ପୁଅ ପୃଥ୍ବୀବଲ୍ଲଭ

ପୁରୀ,ଏନ୍ଏନ୍ଏସ୍: ବରିଷ୍ଠ କଂଗ୍ରେସ ନେତ୍ରୀ, ଓଡ଼ିଶାର ପ୍ରଥମ ମହିଳା ସାଂସଦ, ଜାତୀୟ ମହିଳା କମିସନର ପ୍ରଥମ ଅଧ୍ୟକ୍ଷା ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପତ୍ନୀ ଜୟନ୍ତୀ ପଟ୍ଟନାୟକଙ୍କର ଆଜି ପୁରୀ ସ୍ବର୍ଗଦ୍ବାରରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ସ୍ବର୍ଗତା ଜୟନ୍ତୀଙ୍କ ଏକମାତ୍ର ପୁତ୍ର ପୃଥ୍ବୀବଲ୍ଲଭ ପଟ୍ଟନାୟକ ମୁଖାଗ୍ନି ଦେଇଛନ୍ତି। ଏହି ଅବସରରେ ବହୁ କଂଗ୍ରେସ ନେତାଙ୍କ ସହ ମାନ୍ୟଗଣ୍ୟ ବ୍ୟକ୍ତି ସ୍ବର୍ଗଦ୍ବାରରେ ତାଙ୍କ ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

ପୁରୀ ସ୍ବର୍ଗଦ୍ବାରକୁ ଆସିବା ବାଟରେ ବହୁ ସ୍ଥାନରେ ସ୍ବର୍ଗତା ପଟ୍ଟନାୟକଙ୍କୁ ଶେଷ ଶ୍ରଦ୍ଧାଞ୍ଜଳି ଜଣାଯାଇଛି। ଆଜି ମଧ୍ୟାହ୍ନ ପ୍ରାୟ ସାଢ଼େ ୧୨ଟାରେ ସ୍ବର୍ଗତା ପଟ୍ଟନାୟକଙ୍କ ମରଶରୀର ସ୍ବର୍ଗଦ୍ବାରଠାରେ ପହଞ୍ଚିଥିଲା। ପୂର୍ବରୁ ଅପେକ୍ଷାରେ କଂଗ୍ରେସ ନେତାଙ୍କ ସହ ବହୁ ସାହିତ୍ୟିକ, ସଂଗଠକ ତାଙ୍କ ଶେଷ ଦର୍ଶନ କରିଥିଲେ।