ଜାଭେଲିନ ଥ୍ରୋ’ରେ ଦେବେନ୍ଦ୍ର-ସୁନ୍ଦରଙ୍କ କମାଲ, ଭାରତକୁ ଦେଲେ ଡବଲ ପଦକ

ଟୋକିଓ,ଏଜେନ୍ସି: ଟୋକିଓ ପାରାଲିମ୍ପିକ୍ସର ଷଷ୍ଠ ଦିନରେ ପଦକ ବର୍ଷା। ସକାଳୁ ସକାଳୁ ୨ଟି ପଦକ ମିଳିବା ପରେ ଜାଭେଲିନରେ କମାଲ କରିଛନ୍ତି ଭାରତୀୟ ଖେଳାଳି। ଭାରତୀୟ ଆଥ୍‌ଲେଟ୍‌ ଦେବେନ୍ଦ୍ର ଝାଝରିୟା ଜାଭେଲିନରେ ରୌପ୍ୟ ପଦକ ଜିତିଥିବା ବେଳେ ସୁନ୍ଦର ସିଂହ ଗୁର୍ଜାର ତମ୍ବା ପଦକ ଜିତିଛନ୍ତି। ଦୁଇ ଖେଳାଳିଙ୍କ ସଫଳତା ପରେ ରାଷ୍ଟ୍ରପତି, ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, କ୍ରୀଡ଼ା ମନ୍ତ୍ରୀଙ୍କ ସମେତ ବହୁ ଜଣାଶୁଣା ବ୍ୟକ୍ତି ଶୁଭେଚ୍ଛା ଜଣାଇଛନ୍ତି।

ଶ୍ରୀଲଙ୍କା ଖେଳାଳି ହେରାଥ ୬୭.୭୯ ପଏଣ୍ଟ ସହ ଜାଭେଲିନ୍‌ ଥ୍ରୋରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଭାରତ ରିଓରେ ବିଶ୍ୱ ରେକର୍ଡ ସ୍ଥାପନ କରିଥିବା ଦେବେନ୍ଦ୍ର ଝାଝରିୟା ୬୪.୩୫ ପଏଣ୍ଟ ସହ ରୌପ୍ୟ ପଦକ ବିଜେତା ହୋଇଛନ୍ତି। ସେହିପରି ସୁନ୍ଦର ସିଂ ଗୁର୍ଜର ୬୪.୦୧ ସ୍କୋରରେ ତମ୍ବା ପଦକ ଜିତିଛନ୍ତି। ସୋମବାର ଦିନ ସକାଳୁ ଭାରତୀୟ ଦଳ ୪ଟି ମେଡାଲ ହାତେଇଛି।

ସୋମବାର ସକାଳୁ ଅବନୀ ପ୍ରଥମେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତାଙ୍କ ପରେ ଡିସକସ୍‌ ଥ୍ରୋରେ ଯୋଗେଶ ରୌପ୍ୟ ପଦକ ହାତେଇଥିଲେ। ପରେ ଜାଭେଲିନରେ ଦେବେନ୍ଦ୍ର ଓ ସୁନ୍ଦର ଡବଲ ପଦକ ହାତେଇଛନ୍ତି। ସେହିପରି ରବିବାର ଭାବିନା ପଟେଲ ମହିଳା ସିଙ୍ଗଲ୍ସ ଟେବୁଲ୍ ଟେନିସରେ ରୌପ୍ୟ, ପୁରୁଷ ହାଇ ଜମ୍ପ ଇଭେଣ୍ଟରେ ନିଶାଦ କୁମାର ରୌପ୍ୟ ପଦକ ଜିତିଥିଲେ। ​ଏଥିସହିତ ଟୋକିଓ ପାରାଲିମ୍ପିକ୍ସରେ ଭାରତର ପଦକ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଭାରତୀୟ ଦଳ ଗୋଟିଏ ସ୍ୱର୍ଣ୍ଣ, ୪ଟି ରୌପ୍ୟ ଓ ୨ଟି ବ୍ରୋଞ୍ଜ ପଦକ ଏପର୍ଯ୍ୟନ୍ତ ହାସଲ କରିଛି।