ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ବିଜେଡି ପକ୍ଷରୁ ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହେବାସହ ୧୬ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି । ନିର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ଏହି ପଦଯାତ୍ରା ହୋଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ହେଉଥିବା ଜନ କଲ୍ୟାଣ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚେଇବା ଓ ଯୋଜନାର ସଫଳତାକୁ ଜଣାଇବା ଆଗାମୀ ଦିନରେ ଦଳକୁ ମଜଭୁତ କରିବା ଲକ୍ଷ୍ୟ ରଖି ଏହି ପଦଯାତ୍ରା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଦଳର ନେତା ଓ କର୍ମୀମାନେ ସଧାରଣ ଲୋକଙ୍କ ନିକଟତର ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଏହି କାର୍ଯ୍ୟକ୍ରମ କରାଯାଉଛି । ଡାବୁଗାଁ ନର୍ବାଚନ ମଣ୍ଡଳୀର ୪ଟି ସ୍ଥାନରେ ମାରାଥନ ଭିତ୍ତିପ୍ରସ୍ତର ସ୍ଥାପନ ହୋଇଛି । ଦିନିକିଆ ଗସ୍ତରେ ଯୋଜନା ଓ ସମନ୍ୱୟ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ଡାବୁଗାଁ ବ୍ଲକ ଚିକିଲିରେ ପ୍ରଥମେ ପହଞ୍ଚି ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁକୁ ଗାଁ ବ୍ୟାଙ୍କ ସେବା ଯୋଗାଇ ଦେବାର ଲକ୍ଷ୍ୟକୁ ପୂରଣ କରିବା ପାଇଁ ୩ଟି ସ୍ଥାନ ମେଦନା, ଚଚରାଗୁଡ଼ା ଓ ଅଞ୍ଚଳା ଗ୍ରାମରେ ଗୃହ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାପାଡ଼ାହାଣ୍ଡି ବ୍ଲକ ମୈଦଳପୁରରେ ବହୁଚର୍ଚ୍ଚିତ ତୁଲଶୀପଦର ବ୍ରିଜ ଓ ଜାମଗୁଡ଼ାଠାରୁ ମୁଣ୍ଡାଗୁଡ଼ା ରାସ୍ତା ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପାପାଡ଼ାହାଣ୍ଡି ବ୍ଲକର ମୋକିଆଠାରେ ପହଞ୍ଚି ବାମିନିରେ ବ୍ରିଜ ନିର୍ମାଣ, ଜଟାବାହାଳ ଏକରି ରାସ୍ତାରେ ବ୍ରିଜ, ଖୁଟୁବାଇ ମାଲେକୋଟ ରାସ୍ତା, ଦମପଲା ନୂଆଗୁଡ଼ା ରାସ୍ତା ଏହାସହିତ କୋଶାଗୁମୁଡ଼ା ବ୍ଲକର କଟାଗାଁରେ ୩ଟି ରାସ୍ତାର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।
ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ୭୦ କୋଟି ଟଙ୍କା ଖର୍ଚ୍ଚରେ ୧୬ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏହାସହ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ପାଖାପାଖି ୧୨୦୦ କୋଟି ଟଙ୍କାର ଉନ୍ନୟନମୂଳକ କାର୍ଯ୍ୟ ଚାଲିଥିବା ବିଧାୟକ ମନୋହର ରନ୍ଧାରୀ କହିଛନ୍ତି । ଏହାଦ୍ୱାରା ନିର୍ବାଚନ ମଣ୍ଡଳୀରେ ଉନ୍ନତି ହୋଇପାରିବ ବୋଲି କହିଛନ୍ତି । ୪ଟି କାର୍ଯ୍ୟକ୍ରମରେ ପାଖାପାଖି ୪୦ ହଜାର ଲୋକ ଯୋଗ ଦେଇଥିଲେ । ସାଂସଦ ରମେଶ ଚନ୍ଦ୍ର ମାଝୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ମୋତିରାମ ନାୟକଙ୍କ ସମେତ ପଞ୍ଚାୟତ ସମିତି ଅଧ୍ୟକ୍ଷା, ଉପାଧ୍ୟକ୍ଷ, ସ୍ଥାନୀୟ ଜିଲ୍ଲା ପରିଷଦ, ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ବହୁ ନେତା ଓ କର୍ମୀ ଅଂଶଗ୍ରହଣ କରିଥିଲେ ।