କଣ୍ଟେନମେଣ୍ଟ ଜୋନରେ ନିୟମ ଉଲଙ୍ଘନ କଲେ ହେଉଛି ଲାଠି ପ୍ରାହାର

ଝାରସୁଗୁଡା,ଏନ୍ଏନ୍ଏସ୍ : ବ୍ରଜରାଜନଗର ବୁଢିଜାମ ଅଂଚଳକୁ କଲିକତାରୁ ଆସିଥିବା ଜଣେ ଯୁବତୀ ଗତ ବୁଧବାର କରୋନା ପଜିଟିଭ ଚିହ୍ନଟ ହେଲା ପରେ ଏହି ଅଂଚଳକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ଜିଲ୍ଲା ପ୍ରଶାସନ। ଏହାସହ ଏଠାରେ କୋରନା ସଂକ୍ରମଣର ଚେନକୁ ଭାଙ୍ଗିବା ପାଇଁ ବହୁ ପଦକ୍ଷେପ ଗ୍ରହଣ କରୁଛି। ଏପର୍ଯ୍ୟନ୍ତ ଯୁବତୀଙ୍କ ସଂସ୍ପର୍ଶରେ ଆସିଥିବା ୩୧ ଜଣଙ୍କ ଓ ଏହି ଅଂଚଳର ଅନ୍ୟ ୫୩ ଜଣଙ୍କ ନମୁନା ସ୍ୱାବ ପରୀକ୍ଷଣ ପାଇଁ ପଠାଯାଇଛି। ଏଯାଏଁ କାହରି ରିପୋର୍ଟ ଆସି ନଥିଲେ ହେଁ ଜିଲ୍ଲା ପ୍ରାଶସନ ଓ ସ୍ୱାସ୍ଥ୍ୟ ବିଭାଗ ଲଗାତାର ଏହି ଅଂଚଳରେ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ନଜର ରଖିଛି। କରୋନା ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନରେ ଥିବା ୩ହଜାର୧ଶହ୨୧ଟି ପରିବାରର ୧୩ହଜାର୮ଶହ୫୭ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟବସ୍ଥାର ତଥ୍ୟ ପ୍ରଶାସନ ପକ୍ଷରୁ ସଂଗ୍ରହ କରାଯାଉଛି।

ଯଦି କୌଣସି ବ୍ୟକ୍ତିଙ୍କ ନିକଟରେ କାଶ, ଥଣ୍ଡା, ଜ୍ୱର, ଶ୍ୱାସକ୍ରିୟାରେ ଅସୁବିଧା ଆଦିର ଲକ୍ଷଣ ଦେଖାଦେଉଛି, ତେବେ ସେମାନଙ୍କ ସଙ୍ଗେସେଙ୍ଗେ ଡାକ୍ତରୀ ଦଳ ଚିକିତ୍ସା କରିବା ସହ ସ୍ୱାବ ନମୁନା ସଂଗ୍ରହ କରି ପରୀକ୍ଷଣ ପାଇଁ ପଠାଉଛନ୍ତି। ଏଥିପାଇଁ ଲୋକଙ୍କ ଘରକୁ ଘର ଯାଇ ତଥ୍ୟ ସଂଗ୍ରହ ପାଇଁ ୬୪ଟି ଦଳ, କରୋନା ଲକ୍ଷଣ ଦେଖାଦେଉଥିବା ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷଣ ପାଇଁ ୧୩ଗୋଟି ମେଡିକାଲ ଟିମ ଗଠନ କରାଯାଇଛି। ଏହି ଟିମରେ ମେଡିକାଲ ଅଫିସର, ଷ୍ଟାଫ ନର୍ସ, ଏଏନଏମ ଅଛନ୍ତି। ଏହାବାଦ ତଥ୍ୟ ସଂଗ୍ରହ ପାଇଁ ରିଜର୍ଭରେ ୧୩ଟି ଦଳ ଓ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଗୋଟିଏ ମେଡିକାଲ ଦଳ ମଧ୍ୟ ଗଠନ କରାଯାଇଛି। ଅନ୍ୟପଟେ କଣ୍ଟେନମେଣ୍ଟ ଜୋନ ମଧ୍ୟରେ ନିୟମ ଅବମାନନା କରି ଘରୁ ବାହରୁଥିବା ଅମାନିଆ ଲୋକଙ୍କୁ ପୁଲିସ ବୁଝା ସୁଝା କରି କଣ୍ଟେନମେଣ୍ଟ ଜୋନରେ ଚଳ ପ୍ରଚଳ ନ କରିବାସହ ଆବଶ୍ୟକ ସ୍ଥଳେ ପ୍ରହାର ମଧ୍ୟ କରୁଛି।