ଜାହାଙ୍ଗୀରପୁରୀରେ ଏବେ ଚାଲିବ ବୁଲଡୋଜର, କାର୍ଯ୍ୟାନୁଷ୍ଠାନ ପାଇଁ ମୁତୟନ ହେବେ ୪୦୦ ଯବାନ!

ନୂଆଦିଲ୍ଲୀ,ଏଜେନ୍ସି: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀର ଜାହାଙ୍ଗୀରପୁରୀ ଅଞ୍ଚଳରେ ଶନିବାର କୁଶଳ ସିନେମା ନିକଟରେ ହୋଇଥିବା ହିଂସା ଘଟଣାକୁ ନେଇ ବୁଲଡୋଜର ଆସିଛି। ଜାହାଙ୍ଗୀରପୁରୀ ହିଂସା ଘଟଣା ସହିତ ଜଡିତ ଅଭିଯୁକ୍ତମାନଙ୍କ ଦ୍ୱାରା ବେଆଇନ ଭାବେ ନିର୍ମାଣ ଉପରେ ବୁଲଡୋଜର ଚଳାଇବାବାକୁ ମଧ୍ୟ ଦାବି ହୋଇଛି। ଉତ୍ତର ଦିଲ୍ଲୀ ନଗର ନିଗମ ଜାହାଙ୍ଗୀରପୁରୀରେ ବେଆଇନ ନିର୍ମାଣ ଉପରେ ବୁଲଡୋଜର ଚଳାଇବାକୁ ଘୋଷଣା କରିଦେଇଛି।

ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ ଏସଂପର୍କରେ ଡେପୁଟି କମିଶନର (ଉତ୍ତର-ପଶ୍ଚିମ)ଙ୍କୁ ପତ୍ର ଲେଖି ଆଇନ ବ୍ୟବସ୍ଥା ସମ୍ଭାଳିବା ପାଇଁ ଦିଲ୍ଲୀ ପୋଲିସର ୪୦୦ ଯବାନଙ୍କୁ ମୁତୟନ କରିବାକୁ ଦାବି କରିଛି। ଉତ୍ତର ଦିଲ୍ଲୀ ନଗର ନିଗମ ପକ୍ଷରୁ କୁହାଯାଇଛି ଯେ, ଜାହାଙ୍ଗୀରପୁରୀ ଅଞ୍ଚଳରେ ବେଆଇନ ନିର୍ମାଣ ଚଳାଇବାକୁ ଏପ୍ରିଲ ୨୦ ଓ ୨୧ ତାରିଖରେ ଅଭିଯାନ ହେବ।

ସୂଚନାଯୋଗ୍ୟ, ହନୁମାନ ଜନ୍ମେତ୍ସବ ଅବସରରେ ବାହାରିଥିବା ଶୋଭାଯାତ୍ରା ଉପରେ ଦୁର୍ବୃତ୍ତମାନେ ଅତର୍କିତ ଭାବେ ପଥରମାଡ଼ କରିଥିଲେ। ଏହାର ଏକ ଘଣ୍ଟା ପରେ ସେଠାରେ ଉତ୍ତେଜନା ଦେଖାଯାଇଥିଲା। ପଥରମାଡ଼ ସହିତ ଖଣ୍ଡା ବୁଲିଥିଲା। ଘଟଣାସ୍ଥଳରେ ପହଞ୍ଚିଥିବା ପୋଲିସକୁ ମଧ୍ୟ ଦୁର୍ବୃତ୍ତମାନେ ଛାଡ଼ି ନଥିଲେ, ଯେଉଁଥି ପାଇଁ ୬ ଜଣ ପୋଲିସ କର୍ମୀ ଆହତ ହୋଇଥିଲେ। ଏଥି ସହିତ ଭିଡ ଭିତରୁ ଅନ୍ୟ ଜନସାଧାରଣ ମଧ୍ୟ ଆହତ ହୋଇଥିବା ନେଇ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ସିସିଟିଭି ଫୁଟେଜ ଯାଞ୍ଚ କରୁଛି।

ଜାହାଙ୍ଗୀରପୁରୀରେ ହୋଇଥିବା ହିଂସା ନେଇ ପୋଲିସ ବିଭିନ୍ନ ଅପରାଧିକ ଧାରା ଅନୁସାରେ ମାମଲା ରୁଜୁ କରିଛି। ଏପର୍ଯ୍ୟନ୍ତ ୨୦ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୋଲିସ ଦଂଗା, ସରକାରୀ କାମରେ ବାଧା ପକାଇବା, ସଂପତ୍ତି କ୍ଷତି କରିବା ସମେତ ଅନ୍ୟ ଧାରାରେ ମାମଲା ରୁଜୁ କରିଛି। ଆହତ ପୋଲିସ କର୍ମୀଙ୍କର ମଧ୍ୟ ବୟାନ ରେକର୍ଡ କରାଯିବ।