ଜୋରିମାନା ଭରିବେ ଜାଡ଼େଜା

ନୂଆଦିଲ୍ଲୀ: ଆଚାର ସଂହିତା ଉଲ୍ଲଂଘନ ମାମଲାରେ ଭାରତର ଷ୍ଟାର ଅଲରାଉଣ୍ଡର ରବିନ୍ଦ୍ର ଜାଡ଼େଜାଙ୍କ ଉପରେ ଆଇସିସି ଜୋରିମାନା ଲଗାଇଛି । ଜାଡ଼େଜା ପ୍ରଥମ ଇନିଂସ ସମୟରେ ଅମ୍ପାୟାରଙ୍କ ବିନା ଅନୁମତିରେ ଆଙ୍ଗୁଠିରେ ଅଏଣ୍ଟମେଣ୍ଟ ଲଗାଇଥିଲେ । ଏଥିପାଇଁ ତାଙ୍କୁ ଏକ ଡିମେରିଟ ପଏଣ୍ଟ ମିଳିଥିଲା । ଆଉ ଆଇସିସି ତରଫରୁ ମ୍ୟାଚ ଫି’ର ୨୫ ପ୍ରତିଶତ ଜୋରିମାନା ଲଗାଯାଇଥିବା ଜଣାପଡ଼ିଛି ।

ସୂଚନାଯୋଗ୍ୟ, ଭାରତ ଓ ଅଷ୍ଟ୍ରଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଇନିଂସର ୪୬ ଓଭର ବେଳେ ରବିନ୍ଦ୍ର ଜାଡେଜା ଆଙ୍ଗୁଠିରେ ଓଏଣ୍ଟମେଣ୍ଟ ଲଗାଇଥିଲେ । ଆଉ ଏହାର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଉକ୍ତ ଭିଡିଓରେ ମହମ୍ମଦ ସିରାଜଙ୍କ ହାତରୁ ଉକ୍ତ ଅଏଣ୍ଟମେଣ୍ଟକୁ ନେଇ ଜାଡେଜା ବାମ ହାତର ଆଙ୍ଗୁଠିରେ ଲଗାଇଥିଲେ । ଏହି ସମୟରେ ତାଙ୍କ ସେହି ହାତରେ ବଲ ଥିବାରୁ ଅଷ୍ଟ୍ରେଲୀୟ କ୍ରିକେଟର ଓ ମିଡିଆ ତାଙ୍କ ଉପରେ ବଲ ଟେମ୍ପରିଂର ଆରୋପ ଲଗାଇଥିଲେ ।