ଆଇଟିବିପି ଯବାନଙ୍କ ଦ୍ୱାରା ଆଇଡି ସଂଯୁକ୍ତ ପ୍ରେସର କୁକର ବମ୍ ନିଷ୍କ୍ରିୟ

ରାୟପୁର,ଏଜେନ୍ସି: ଛତିଶଗଡ଼ର ନାରୟଣପୁରରେ ଭାରତୀୟ ସୁରକ୍ଷାବାହିନୀଙ୍କୁ ଟାର୍ଗେଟ କରାଯାଇଥିବା ବେଳେ ଏହାକୁ ବିଫଳ କରାଯାଇଛି। ବୁଧବାର ଚିଖପାଲ ଗାଁ ନିକଟରୁ ଭାରତ-ତୀବତ ସୀମା ପୁଲିସ(ଆଇଟିବିପି) କ୍ୟାଡର ଆଇଇଡି ସଂଯୁକ୍ତ ଦୁଇ ପ୍ରେସର କୁକର ବମ୍ ଜବତ କରିଛି। ଏହି ପ୍ରେସର କୁକର ଗୁଡ଼ିକୁ ମାଟିତଳେ ପୋତାଯାଇଥିଲା। ପୁଲିସ ସର୍ଚ୍ଚ ଅପରେସନ ବେଳେ ଏହି ବମ୍ ଜବତ କରାଯାଇ ଏହାକୁ ନିଷ୍କ୍ରିୟ କରିଦିଆଯାଇଛି। ଏଥିସହିତ ଉକ୍ତ ଅଞ୍ଚଳରେ ସୁରକ୍ଷା ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନକୁ କଡ଼ାକଡ଼ି କରାଯାଇଛି। ତେବେ ନକ୍ସଲମାନେ ଏହି କାଣ୍ଡ ଭିଆଇଥିବା ସନ୍ଦେହ କରାଯାଉଛି।

ସୂଚନା ଅନୁସାରେ ଛତିଶଗଡ଼ର କେତେକ ଅଞ୍ଚଳରେ ନକ୍ସଲମାନଙ୍କ ପ୍ରାଦୁର୍ଭାବ ବଢ଼ିବାରେ ଲାଗିଛି। ଭାରତୀୟ ସେନାର ଯବାନଙ୍କୁ ଟାର୍ଗେଟ କରାଯାଇ ସେମାନଙ୍କୁ କ୍ଷତି ପହଞ୍ଚାଇବାକୁ ଦୈନନ୍ଦିନ ନକ୍ସଲମାନେ ଯୋଜନା କରୁଛନ୍ତି। ଏହା ପୂର୍ବରୁ ମଇ ୧୭ ତାରିଖରେ ଛତିଶଗଡ଼ର ସୁକୁମା ଜିଲ୍ଲାରେ ନକ୍ସଲମାନେ ଯବାନଙ୍କ ଯୁଗ୍ମ କ୍ୟାମ୍ପ ଉପରେ ଗୁଳିଚାଳନା କରିଥିଲେ। ଯବାନମାନେ ଏହାର ପ୍ରତି ଉତ୍ତରରେ ଗୁଳିଚାଳନା କରିଥିଲେ। ଏଥିରେ ୩ ନକ୍ସଲ ନିହତ ହୋଇଥିଲେ।