ନବରଙ୍ଗପୁର,ଏନ୍ଏନ୍ଏସ୍: ଓଡ଼ିଶା ରାଜ୍ୟ ଯୋଗାଣ ସହାୟକ ସଂଘ ନନ୍ଦାହାଣ୍ଡି ବ୍ଲକ ପକ୍ଷରୁ ୬ ଦଫା ଦାବୀ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବିଡିଓଙ୍କ ଜରିଆରେ ପ୍ରଦାନ କରାଯାଇଛି । ଯୋଗାଣ ସହାୟକଙ୍କ ଚାକିରି ସ୍ଥାୟିତ୍ୱ ଓ ମାସିକ ଦରମା ୨୫ ହଜାର ଟଙ୍କାକୁ ବୃଦ୍ଧି କରାଯାଉ । ଯୋଗାଣ ସହାୟକଙ୍କ ନାଁର ପଡ଼ିଏସ ଲାଇସେନ୍ସ ଦିଆଯାଉ, କାର୍ଯ୍ୟରତ ଯୋଗାଣ ସହାୟକଙ୍କୁ ମୃତ୍ୟୁକାଳୀନ ସହାୟତା ରାଶି ପ୍ରଦାନ କରାଯାଉ ଓ ତାଙ୍କ ପରିବାରର ଜଣଙ୍କୁ ଚାକିରି ଦିଆଯାଉ । ଏହାସହ ଯୋଗାଣ ସହାୟକଙ୍କୁ ପଞ୍ଚାୟତରାଜ ବିଭାଗରୁ ନିବୃତ କରି ଯୋଗାଣ ବିଭାଗରେ ଅନ୍ତର୍ଭୁକ୍ତ କରାଯାଉ ଓ ଉକ୍ତ ପଦବୀକୁ ଆସିଷ୍ଟାଣ୍ଟ ସପଲାଏ ଇନ୍ସପେକ୍ଟର ନାମରେ ନାମିତ କରାଯାଉ । ଇ -ପିଓଏସ୍ ଡିଭାଇସ୍ ପରିଚାଳନାର ପ୍ରୋତ୍ସାହନ ରାଶି ଯୋଗାଣ ସହାୟକଙ୍କୁ ପ୍ରଦାନ କରାଯାଉ ଓ ମାସିକ ପିଡିଏସ ଆବଣ୍ଟନରେ ୨ଶତକଡ଼ା ନିଅଣ୍ଟକୁ ଭରଣ କରାଯାଉ ବୋଲି ଉଲ୍ଲେଖ କରାଯାଇଛି । ଉକ୍ତ ଦାବୀଗୁଡ଼ିକ ୩ ଦିନ ମଧ୍ୟରେ ପୂରଣ ନହେଲେ ସଂଘ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସଭାପତି ସୋଦନ ପଟେଲଙ୍କ ସମେତ ଏ ସୁମନ ବାବୁ ରାଓ, ପ୍ରମୋଦ କୁମାର ପ୍ରଧାନ ଓ ସୁଶ୍ରୀ ଜ୍ୟୋତ୍ସାରାଣୀ ଦେହୁରୀ ପ୍ରମୁଖ ଚେତାବନୀ ଦେଇଛନ୍ତି । ଉକ୍ତ ଦାବୀପତ୍ରକୁ ବିଡିଓ କ୍ଷୀରୋଦ ଚନ୍ଦ୍ର ସାହୁ ଗ୍ରହଣ କରିବା ସହ ମୁଖ୍ୟମନ୍ତ୍ରୀଙ୍କୁ ପଠେଇବାର ସୁବନ୍ଦୋବସ୍ତ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।