ଉତକ୍ଷେପଣ ହେଲା ପିଏସଏଲଭି- ସି୪୮

ଶ୍ରୀହରିକୋଟା: ଉତକ୍ଷେପଣ ହେଲା ପିଏସଏଲଭି- ସି୪୮। ଶ୍ରୀହରିକୋଟାରୁ ପିଏସଏଲଭି-ସି୪୮ ଜରିଆରେ ରିସାଟ-୨ବିଆର୧କୁ ଅନ୍ତରୀକ୍ଷକୁ ସଫଳତାର ସହ ଉତକ୍ଷପଣ କରିଛି ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ। ଅପରାହ୍ନ ୩ଟା ୨୫ ମିନିଟରେ ଇସ୍ରୋ ଏହି ସାଟେଲାଇଟ ଉତକ୍ଷେପଣ କରି ନିଜ ନାଁରେ ଆଉ ଏକ ରେକର୍ଡ ଯୋଡ଼ି ଦେଇଛି।

ତେବେ ଦୀର୍ଘ ୨୦ବର୍ଷ ଭିତରେ ଅର୍ଥାତ ୧୯୯୯ରୁ ଆଜି ଯାଏଁ ଇସ୍ରୋ ୩୧୦ଟି ବିଦେଶୀ ସାଟେଲାଇଟ ଉତକ୍ଷେପଣ କରିଥିବା ବେଳେ ଆଜି ୯ଟି ଉପଗ୍ରହ ସହ ମୋଟ ୩୧୯ଟି ଉପଗ୍ରହକୁ ଅନ୍ତରୀକ୍ଷରେ ସ୍ଥାପନ କରିବାର ଗୌରବ ରଚିଛି ଇସ୍ରୋ।

ସୂଚନା ମୁତାବକ, ଇସ୍ରୋ ପକ୍ଷରୁ ମହାକାଶକୁ ପଠାଯାଇଥିବା ଆର୍‌ଆଇ-ସାଟ୍‌- ୨ବିଆର୍‌୧ ଦେଶର ଦ୍ୱିତୀୟ ଗୁଇନ୍ଦା ଉପଗ୍ରହ। ଏହା ପୂର୍ବରୁ ଆର୍‌ଆଇ-ସାଟ୍‌- ୨ବି ନାମରେ ଅନ୍ୟ ଏକ ଗୁଇନ୍ଦା ଉପଗ୍ରହକୁ ଇସ୍ରୋ ସଫଳତା ପୂର୍ବକ ମହାକାଶରେ ଅବସ୍ଥାପିତ କରାଇ ପାରିଛି। ଗୁଇନ୍ଦା ଉପଗ୍ରହ ଆର୍‌ଆଇ-ସାଟ୍‌- ୨ବିଆର୍‌୧ ଅନ୍ତରୀକ୍ଷରେ ଅବସ୍ଥାପିତ ହେବା ପରେ ଶତ୍ରୁପକ୍ଷର ସମସ୍ତ ଗତିବିଧି ଓ ଟିକିନିକି ସୂଚନା ସିଧାସଳଖ ଭାରତୀୟ ସେନା ନିକଟକୁ ପଠାଇବ। ଖରାପ ପାଗରେ ବି ଏହା ସକ୍ରିୟ ରହିବା ସହ ବର୍ଷା ପାଗ କିମ୍ବା କୁହୁଡିଆ ପାଗରେ ବି ଆକାଶ ଉପରୁ ଖୁବ ଭଲ ଭାବରେ ସୀମା ଉପରେ ନଜର ରଖିବ।