ନୂଆଦିଲ୍ଲୀ,ଏଜେନ୍ସି : ପାକ୍ ଗୁପ୍ତଚର ସଂସ୍ଥା ‘ଆଇଏସ୍ଆଇ’ ଓ ପାକସେନା ସହିତ ବଲିଉଡ ସେଲିବ୍ରିଟିଙ୍କ ସମ୍ପର୍କ ପଦାକୁ ଆସିଛି। ବଲିଉଡର ଲୋକପ୍ରିୟ ଅଭିନେତା ଶାହରୁଖ ଖାନ ଓ ତାଙ୍କ ପତ୍ନୀ ଗୌରୀଙ୍କ ସହ ଆତଙ୍କୀ ସମର୍ଥକ ଭାବେ ଜଣାଶୁଣା ରେହାନ ସିଦ୍ଦିକି ଓ ଟୋନି ଆଶାଇଙ୍କ ସହ ବ୍ୟବସାୟିକ ସମ୍ପର୍କ ରହିଥିବା ଜଣାପଡ଼ିଛି। ଜମ୍ମୁ-କଶ୍ମୀରରେ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଉଭୟ ରେହାନ ଓ ଟୋନି ଆତଙ୍କୀ ସଂଗଠନକୁ ପାଣ୍ଠି ଯୋଗାଉଛନ୍ତି ବୋଲି ଭାରତୀୟ ଗୁପ୍ତଚର ସଂସ୍ଥା ଜାଣିବାକୁ ପାଇଛି। ଅଧିକାଂଶ ସମୟରେ ରେହାନ ଓ ଟୋନିଙ୍କ ମୁହଁରୁ ଭାରତ ବିରୋଧୀ ମନ୍ତବ୍ୟ ଶୁଣିବାକୁ ମିଳେ। ଅଭିଯୁକ୍ତ ଟୋନି ଏବେ ଆମେରିକାରେ ରହି କଶ୍ମୀର ସମ୍ପର୍କିତ ବିବାଦୀୟ ବୟାନ ଦେଉଛି। ସେହିପରି ରେହାନ୍ ସିଦ୍ଦିକି ହେଉଛନ୍ତି ହୋଷ୍ଟନରେ ରହୁଥିବା ଜଣେ ପାକ ନାଗରିକ। ସିଦ୍ଦିକି ଗୋଟିଏ ରେଡିଓ ଚାନେଲର ମାଲିକ। ନିଜ ଚାନେଲରୁ କଶ୍ମୀରରେ ନିୟମିତ ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଉତ୍ତେଜନାପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରି ଆସୁଛନ୍ତି।