ବାଙ୍ଗାଲୁରୁ: ଇଣ୍ଡିଆନ ପ୍ରିମିୟର ଲିଗର ୧୫ତମ ସଂସ୍କରଣର ନିଲାମି ଜାରି ରହିଛି । ମେଗା ଅକ୍ସନର ପ୍ରଥମ ଦିନରେ ଅନେକ ଖେଳାଳିଙ୍କ ଭାଗ୍ୟ ବଦଳିଛି । ଇତିମଧ୍ୟରେ ବ୍ୟାଟ୍ସମ୍ୟାନ୍ ତଥା ୱିକେଟକିପର ଇଶାନ କିଷନଙ୍କ ପାଇଁ ମୁମ୍ବାଇ ଇଣ୍ଡିଆନ୍ସ ରେକର୍ଡତୋଡ ବିଡିଂ କରି ୧୫.୨୫ କୋଟି ଟଙ୍କାରେ କିଣିଛି । ଫଳରେ ଇଶାନ ଆଇପିଏଲ ଇତିହାସର ନିଲାମିରେ ବିକ୍ରି ହୋଇଥିବା ଦ୍ୱିତୀୟ ଭାରତୀୟ ଦାମୀ ଖେଳାଳି ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି । ଏହି ତାଲିକାର ଶୀର୍ଷରେ ଯୁବରାଜ ସିଂହ ରହିଛନ୍ତି । ଏଥିସହିତ ମୁମ୍ବାଇ ପ୍ରଥମଥର ପାଇଁ କୌଣସି ଖେଳାଳି ଲାଗି ୧୦ କୋଟିରୁ ଉର୍ଦ୍ଧ୍ୱ ବିଡିଂ କରିଛି ।
ସୂଚନାଯୋଗ୍ୟ, ମେଗା ଅକ୍ସନର ପ୍ରଥମ ଦିନରେ ଶ୍ରେୟସ ଅୟରଙ୍କୁ କୋଲକାତା ନାଇଟ ରାଇଡର୍ସ ୧୨କୋଟି ୨୫ ଲକ୍ଷ ଟଙ୍କାରେ କିଣିଛି । ସେହିପରି ହର୍ଷଲ ପଟେଲଙ୍କୁ ୧୦ କୋଟି ୭୫ ଲକ୍ଷରେ ବାଙ୍ଗାଲୋର କିଣିଥିବାବେଳେ ୯ କୋଟି ୨୫ଲକ୍ଷରେ ଜାଗିସୋ ରବାଦାଙ୍କୁ ପଞ୍ଜାବ କିଣିଛି ।