ସହକର୍ମୀଙ୍କ ଗୁଳିମାଡରେ ଆଇଆର୍‌ବିଏନ୍‌ କନେଷ୍ଚବଳ ମୃତ

ଇଟାନଗର,ଏଜେନ୍ସି: ସହକର୍ମୀଙ୍କ ଗୁଳିମାଡରେ ଟଳିଲେ ଆଇଆରବିଏନ କନେଷ୍ଟବଳ । ଅରୁଣାଚଳ ପ୍ରଦେଶରେ ଏହି ଅଭାବନୀୟ ଘଟଣା ଘଟିଛି । ସାମାନ୍ୟ ବଚସାକୁ କେନ୍ଦ୍ରକରି ଇଣ୍ଡିଆନ ରିଜର୍ଭ ବାଟାଲିୟନର(ଆଇଆରବିଏନ) ଜଣେ ହେଡକନେଷ୍ଟବଳ ନିଜର ସହକର୍ମୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ମୃତକ ଚିଙ୍ଗ୍ରି ମୋମାଇ ବୋଲି ପରିଚୟ ମିଳିଛି । ଶୁକ୍ରବାର ବିଳମ୍ବିତ ରାତିରେ ଅରୁଣାଚଳ ପ୍ରଦେଶର ରାଜୀବ ଗାନ୍ଧୀ ବିଶ୍ବବିଦ୍ୟାଳୟରେ ତାଙ୍କୁ ହତ୍ୟା କରାଯାଇଛି । ଅଭିଯୁକ୍ତ ସହକର୍ମୀଙ୍କୁ ପୋଲିସ ଗିରଫ କରିଛି ।

ପୁଲିସର ସୂଚନା ମୁତାବକ, ଦ୍ବିତୀୟ ବାଟାଲିୟନରେ ହେଡକନେଷ୍ଟବଳ ଭାବେ କାର୍ଯ୍ୟରତ ଦିୟୁମ ୱାଙ୍ଗ୍ରୁ ତାଇଡଙ୍ଗଙ୍କ କୌଣସି କାରଣକୁ ନେଇ ସହକର୍ମୀ ଚିଙ୍ଗ୍ରି ମୋମାଇଙ୍କ ସହ ଯୁକ୍ତିତର୍କ ହୋଇଥିଲା । ଏଥିରେ ଉତ୍‌କ୍ଷିପ୍ତ ହୋଇ ସେ ନିଜ ରାଇଫଲରୁ(ଏକେ ୪୭)ରୁ ମୋମାଙ୍କ ଉପରେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲେ । ଏହାପରେ ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ତ୍ରିହାମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ଡାକ୍ତରେ ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।

ଏହି ମାମଲାରେ ଅଭିଯୁକ୍ତ ଆଇଆର୍‌ବିଏନ୍‌ ହେଡକନେଷ୍ଟବଳଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଛି । ଏହାସହିତ ତାଙ୍କୁ ଠାରୁ ରାଇଫଲ ଏବଂ ୨୮ ଅଫୁଟା ଗୁଳି ଜବତ ହୋଇଛି ।