ଆଇପିଏଲରୁ ଅଷ୍ଟ୍ରେଲିଆ ଟୁର୍ ଚାପ କମାଇଛି: ଶମି

ସିଡ୍‌ନୀ,ଏଜେନ୍ସି: ଆଇପିଏଲ୍‌ରେ କିଙ୍ଗ୍‌ସ ଏକାଦଶ ପଞ୍ଜାବ ପକ୍ଷରୁ ଖେଳିଥିବା ମହମ୍ମଦ ଶମି ବର୍ତ୍ତମାନ ଅଷ୍ଟ୍ରେଲିଆରେ ଆଗାମୀ ସିରିଜ୍ ପାଇଁ ଅଭ୍ୟାସ ଜାରି ରଖିଛନ୍ତି । ଆଇପିଏଲ୍‌ରେ ଉନ୍ନତ ପ୍ରଦର୍ଶନ ତାଙ୍କ ଉପରୁ ଅଷ୍ଟ୍ରେଲିଆ ଗସ୍ତରେ ଥିବା ଚାପକୁ ଅନେକ ମାତ୍ରାରେ ହ୍ରାସ କରିପାରିଛି ବୋଲି ମତ ଦେଇଛନ୍ତି । ଶମି କହିଛନ୍ତି ଯେ ଆଇପିଏଲ୍‌ର ପ୍ରଦର୍ଶନ ମୋର ଆତ୍ମବିଶ୍ୱାସକୁ ବହୁଗୁଣିତ କରିଛି ଓ ବର୍ତ୍ତମାନ ମୁଁ ସିରିଜ୍ ପାଇଁ କରୁଥିବା ପ୍ରସ୍ତୁତିରେ ଆଦୌ ଚାପଗ୍ରସ୍ତ ନୁହେଁ । ମୋ ଉପରେ କିଛି ବି ଚାପ ନାହିଁ ଓ ମୁଁ ବେଶ୍ ସହଜ ଅନୁଭବ କରୁଛି ବୋଲି ଶମି କହିଛନ୍ତି ।

ସେହିପରି ଟେଷ୍ଟ୍ ସିରିଜ୍ ତାଙ୍କ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ଶମି କହିବା ସହ ଏହି ସିରିଜ୍ ପାଇଁ ଅଭ୍ୟାସ ବେଳେ ସିମ୍ ମୁଭମେଣ୍ଟ୍ ଓ ଲେନ୍‌ଥ ଉପରେ ଅଧିକ ଗୁରୁତ୍ୱ ଦେଉଥିବା କହିଛନ୍ତି । ସୀମିତ ଓଭର୍ ସିରିଜ୍ ପାଇଁ ଆଇପିଏଲ୍‌ର ପ୍ରଦର୍ଶନ ତାଙ୍କୁ ସାହାଯ୍ୟ କରିବ । ଏଥିପାଇଁ ସେ ଟେଷ୍ଟ୍ ସକାଶେ ଅଧିକ ପ୍ରସ୍ତୁତି କରୁଥିବା ଶମି କହିଛନ୍ତି ।