ନୂଆଦିଲ୍ଲୀ,ଏଜେନ୍ସି: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ) ଚତୁର୍ଦଶତମ ସଂସ୍କରଣ-୨୦୨୧ ଭାରତରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟ ଆସନ୍ତା ଏପ୍ରିଲ ୯ରୁ ଆରମ୍ଭ ହେବ। ମେ’ ୩୦ରେ ଫାଇନାଲ ମ୍ୟାଚ ଖେଳାଯିବ। ଭାରତରେ ଆଇପିଏଲ ହେବା ନେଇ ଏକ ପ୍ରକାର ନିଶ୍ଚିତ ହୋଇଥିବାବେଳେ ଏବେ କେବଳ ଆଇପିଏଲ ପରିଚାଳନା ପରିଷଦର ମୋହରକୁ ଅପେକ୍ଷା ରହିଛି। ଏହା ଉପରେ ଚୂଡାନ୍ତ ନିଷ୍ପତ୍ତି ନେବା ଲାଗି ଆସନ୍ତା ସପ୍ତାହରେ ପରିଚାଳନା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ଉକ୍ତ ବୈଠକରେ ଭାରତରେ ଖେଳାଯିବାକୁ ଥିବା ଆଇପିଏଲ ନେଇ ଭେନ୍ୟୁ ଚୂଡାନ୍ତ ହେବ। ଆଇପିଏଲ ଫାଇନାଲ ମ୍ୟାଚ୍ ମେ-୩୦ରେ ଖେଳାଯିବା ନେଇ ଫ୍ରାଞ୍ଚାଇଜଙ୍କ ଠାରୁ ଆରମ୍ଭ କରି ପରିଚାଳନା ପରିଷଦ ଓ ବିସିସିଆଇ ମଧ୍ୟ ରାଜି ରହିଥିବା ଜଣାପଡ଼ିଛି।
ପ୍ରଥମତଃ କରୋନା ମହାମାରୀ ପାଇଁ ପୂରା ଆଇପିଏଲ ଗୋଟିଏ ସହରରେ ଖେଳାଯିବା ନେଇ ଆଲୋଚନା ହୋଇଥିଲା। ପରବର୍ତ୍ତୀ ସମୟରେ ବିସିସିଆଇ ପକ୍ଷରୁ ୫/୬ଟି ଭେନ୍ୟୁରେ ମ୍ୟାଚ ଆୟୋଜନ ନେଇ ପ୍ରସ୍ତାବ ଦେଇଛି। ଅହମ୍ମଦାବାଦ୍, ଚେନ୍ନଇ, ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍ ଓ ବେଙ୍ଗାଲୁରୁରେ ମ୍ୟାଚ ଆୟୋଜନ ନେଇ ଲକ୍ଷ୍ୟ ରଖାଯାଇଛି। ସେଥିମଧ୍ୟରୁ ମୁମ୍ବାଇ, କୋଲକାତା, ହାଇଦ୍ରାବାଦ୍ ଓ ଚେନ୍ନଇରେ ମ୍ୟାଚ ଖେଳାଯିବା ନେଇ ପ୍ରାଥମିକ ଆଲୋଚନା କରାଯାଇଛି।
ଏ ନେଇ ଚୂଡାନ୍ତ ନିଷ୍ପତ୍ତି ହୋଇନଥିବାବେଳେ ସମସ୍ତ ଦିଗ ଉପରେ ଗୁରୁତ୍ୱ ଦିଆଯିବା ସହିତ ଆଲୋଚନା ପରେ ଚୂଡାନ୍ତ ନିଷ୍ପତ୍ତି ନିଆଯିବ। ସେହିପରି ଷ୍ଟାଡ଼ିୟମକୁ ୫୦ରୁ ୭୦ ପ୍ରତିଶତ ଦର୍ଶକଙ୍କୁ ମ୍ୟାଚ ଦେଖିବାକୁ ଛଡ଼ାଯିବ। ଆଇପିଏଲର ୧୩ତମ ସଂସ୍କରଣ-୨୦୨୦ ଦୁବାଇରେ ଖେଳାଯାଇଥିବାବେଳେ ଦର୍ଶକଙ୍କୁ ଷ୍ଟାଡ଼ିୟମ ଭିତରକୁ ଛଡ଼ା ଯାଇନଥିଲା।