ରାଜଧାନୀରେ ପିସିଆର୍‌ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ମାମଲାରେ ୫ ଗିରଫ

ଭୁବନେଶ୍ୱର,ଏନ୍ଏନ୍ଏସ୍:ଯୁବକଙ୍କୁ ହତ୍ୟା ପରେ ପିସିଆର୍ ଭଙ୍ଗା ଓ ଅଭିଯୁକ୍ତ ୨ ଭାଇଙ୍କୁ ମାଡ଼ ଘଟଣାରେ କମିଶନରେଟ୍‌ ପୁଲିସ ପଦକ୍ଷେପ ଗ୍ରହଣ କରିଛି। ଆଜି ସିସିଟିଭି ଆଧାରରେ ୫ଜଣଙ୍କୁ କମିଶନରେଟ୍‌ ପୁଲିସ ଗିରଫ କରିଛି। ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ।

ଶନିବାର ଆଇଆରସି ଭିଲେଜ୍ ଏନ୍-୨ ଲେନ୍‌ରେ ଏକ ପିକଅପ୍‌ ଭ୍ୟାନ୍‌ ଭିତରେ ଟୁକୁନା ଓରଫ୍ ଜଟିଆକୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସାଲିଆସାହିର ୨ ଭାଇ ସାଗର ପୃଷ୍ଟି ଓ ସୁଧିର ପୃଷ୍ଟି ଭ୍ୟାନ‌ ଭିତରେ ଜଟିଆକୁ ଭୁଜାଲି ଓ ଫାର୍ସାରେ ହାଣି ହତ୍ୟା କରିଥିଲେ। ଏ ସମ୍ପର୍କରେ ଖବର ପାଇ ପିସିଆର ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ଦୁଇ ଭାଇଙ୍କୁ ଗିରଫ କରି ଭ୍ୟାନ‌ରେ ବସାଇଥିଲା। କିନ୍ତୁ ସ୍ଥାନୀୟ ଲୋକେ ପୁଲିସ ହାତରୁ ଅଭିଯୁକ୍ତଙ୍କୁ ଛଡ଼ାଇ ନେଇ ନିସ୍ତୁକ ମାଡ଼ ମାରିଥିଲେ।

ଲୋକଙ୍କ ଆକ୍ରୋଶରୁ ବର୍ତ୍ତିବା ପାଇଁ ୨ ଭାଇ କାକୁତି ମିନତି ହେଉଥିଲେ ମଧ୍ୟ କେହି ଛାଡ଼ି ନଥିଲେ। ଆଖି ସାମ୍ନାରେ ସବୁ ଘଟଣା ଘଟୁଥିଲେ ବି ପୁଲିସ ଚୁପ୍ ରହିଥିଲା। ଜଟିଆ, ସାଗର ଓ ସୁଧୀର ପେଶାରେ ଡ୍ରାଇଭର। ଶୁକ୍ରବାର ଓ ଶନିବାର ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏଥିରେ ଜଟିଆକୁ ହତ୍ୟା କରିଥିଲେ ୨ ଭାଇ।

ସେପଟେ ଏହି ଘଟଣାକୁ ନେଇ ଶନିବାର ପୁଲିସ କମିଶନର ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି, ମୃତ ଟୁକୁନା ନାଁରେ ପୂର୍ବରୁ ୨ଟି ମାମଲା ରହିଛି। ସେ ଜାମିନରେ ଥିଲା। ଶନିବାର ଟୁକୁନାକୁ ଧରି ଥାନାକୁ ଆଣୁଥିଲେ ଦୁଇ ଭାଇ ସାଗର ଓ ସୁଧୀର। ରାସ୍ତାରେ ଟୁକୁନା ଛୁରିରେ ଆକ୍ରମଣ କରିଥିଲା। ବଡ଼ ଭାଇକୁ ଛୁରିରେ ଭୁସି ଦେବାରୁ ପ୍ରତି ଆକ୍ରମଣ ହୋଇଥିଲା। ଆତ୍ମରକ୍ଷା ପାଇଁ ଟୁକୁନାକୁ ସେହି ଛୁରିରେ ଆକ୍ରମଣ କରିଥିଲେ ଦୁଇ ଭାଇ। ଖବର ପାଇ ତୁରନ୍ତ ପିସିଆର୍ ଭ୍ୟାନ୍ ପହଞ୍ଚି ଟୁକୁନାକୁ ଉଦ୍ଧାର କରିଥିଲା। ତେବେ ସ୍ଥାନୀୟ ଲୋକେ ଦୁଇ ଭାଇଙ୍କୁ ଭିଡ଼ି ଆକ୍ରମଣ କରିଥିଲେ। ଘଟଣାକୁ ନେଇ ପୁଲିସ ୩ଟି ମାମଲା ରୁଜୁ କରିଛି। ଗାଡ଼ି ଭିତରେ ଟୁକୁନା ଆକ୍ରମଣ କରିଥିବା ନେଇ ଗୋଟିଏ ମାମଲା ହୋଇଛି ବୋଲି ପୁଲିସ କମିଶନର କହିଛନ୍ତି।