ଆଇପିଏଲ୍‌ ୨୦୨୨: ଫିଟନେସ ଟେଷ୍ଟରେ ପାସ୍ ପାଣ୍ଡ୍ୟା, ଖେଳିବାକୁ ଏନ୍‌ସିଏର ସିଗନାଲ

ନୂଆଦିଲ୍ଲୀ,ଏଜେନ୍ସି: ଗୁଜୁରାଟ ଟାଇଟନ୍ସ ଫ୍ୟାନଙ୍କୁ ବଡ ଆଶ୍ବସ୍ତି। ଗୁଜୁରାଟ ଟାଇଟନ୍ସ ଦଳର ନବ ନିଯୁକ୍ତ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଫିଟନେସ ଟେଷ୍ଟରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନସିଏ ତାଙ୍କୁ ଆଇପିଏଲ ଖେଳିବାକୁ ଗ୍ରୀନ ସିଗନାଲ ଦେଇଛି। ଆହତ ସମସ୍ୟା ପାଇଁ ଦୀର୍ଘ ଦିନ ହେବ ଭାରତୀୟ ଟିମରୁ ବାଦ ପଡିଥିଲେ। ପୂର୍ବ ବର୍ଷ ଅନୁଷ୍ଠିତ ଟି-ଟ୍ବେଣ୍ଟି ବିଶ୍ବକପରେ ପାଣ୍ଡ୍ୟା ଖେଳିଥିଲେ। ଏହା ପରଠୁ ତାଙ୍କୁ ଭାରତୀୟ ଦଳରେ ସ୍ଥାନ ମିଳିନାହିଁ।

ବିସିସିଆର ବାର୍ଷିକ ଚୁକ୍ତିବଦ୍ଧ ଖେଳାଳି ହୋଇଥିବାରୁ ଆଇପିଏଲ ପୂର୍ବରୁ ପାଣ୍ଡ୍ୟାଙ୍କୁ ଏନସିଏରେ ଫିଟନେସ ପରୀକ୍ଷା ଦେବାକୁ ନିର୍ଦ୍ଦେଶ ହୋଇଥିଲା। ଏନସିଏରେ ପାଣ୍ଡ୍ୟା ଦୀର୍ଘ ସମୟ ଧରି ବୋଲିଂ କରିଥିଲେ। ନିୟମିତ ଭାବେ ୧୩୫ କିମି ପ୍ରତି ଘଣ୍ଟା ବେଗରେ ବଲ ପକାଇଥିଲେ। ୟୋ ୟୋ ଟେଷ୍ଟରେ ଉତ୍ତୀର୍ଣ୍ଣ ହେବା ପାଇଁ ପାଣ୍ଡ୍ୟାଙ୍କୁ ପରିଶ୍ରମ କରିବାକୁ ପଡିଥିଲା। ଏହି ଟେଷ୍ଟରେ ସେ ୧୭ ପଏଣ୍ଟ ହାସଲ କରିଥିଲେ।

୨୦୧୯ରେ ପାଣ୍ଡ୍ୟାଙ୍କ ପିଠିରେ ଅସ୍ତ୍ରୋପ୍ରଚାର ହୋଇଥିଲା। ଏହା ପରଠୁ ସେ ତାଙ୍କ ଦକ୍ଷତା ଅନୁସାରେ ବୋଲିଂ କରିବାକୁ ବିଫଳ ହୋଇଥିଲେ। ଗତ ୨ଟି ଆଇପିଏଲରେ ମୁମ୍ବାଇ ଇଣ୍ଡିୟାନ୍ସ ତାଙ୍କୁ ବୋଲିଂ କରାଇନଥିଲା। ଆଇପିଏଲ ମେଗା ନିଲାମ ପୂର୍ବରୁ ମୁମ୍ବାଇ ଇଣ୍ଡିୟାନ୍ସ ତାଙ୍କୁ ଦଳରୁ ବାଦ ଦେଇଥିଲା। ନୂଆ କରି ଆଇପିଏଲରେ ଦଳରେ ସାମିଲ ହୋଇଥିବା ଗୁଜୁରାଟ ଟାଇଟନ୍ସ ମେଗା ନିଲାମରେ ପାଣ୍ଡ୍ୟାଙ୍କୁ କିଣି ଅଧିନାୟକ ନିଯୁକ୍ତ କରିଥିଲା। ତେବେ ଆଇପିଏଲରେ ଦଳ ପାଇଁ ପାଣ୍ଡ୍ୟାଙ୍କ ରଣନୀତି ସହ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ।

ସେପଟେ ମୁମ୍ବାଇ ରଣଜୀ ଟିମର ଅଧିନାୟକ ତଥା ଦିଲ୍ଲୀ କ୍ୟାପିଟାଲ୍ସର ପ୍ରମୁଖ ଓପନର ପୃଥ୍ବୀ ଶ’ ୟୋ ୟୋ ଟେଷ୍ଟରେ ବିଫଳ ହୋଇଛନ୍ତି। ଫିଟନେସ ପରୀକ୍ଷାରେ ବିଫଳ ପରେ ବି ତାଙ୍କୁ ଏନସିଏ ଆଇପିଏଲ ଖେଳିବାକୁ ଅନୁମତି ଦେଇଛି। ପୃଥୀ ୟୋ ୟୋ ଟେଷ୍ଟରେ ୧୫ ପଏଣ୍ଟ ହାସଲ କରିଥିଲେ। ଭାରତର ବ୍ୟାଟିଂ ବିସ୍ମୟ ଭାବେ ଗଣା ହେଉଥିବା ପୃଥୀ ପୂର୍ବରୁ ବାରମ୍ବାର ଆହତ ସମସ୍ୟାର ସମ୍ମୁଖୀନ ପାଇଁ ଭାରତୀୟ ଦଳରୁ ବାଦ ପଡିଥିଲେ।