ରାମନାଗୁଡ଼ାରେ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ପାଳିତ

ରାମନାଗୁଡ଼ା,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ାରେ ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ପକ୍ଷରୁ ଅନ୍ତର୍ଜାତୀୟ ସ୍ୱାକ୍ଷରତା ଦିବସ ସ୍ଥାନୀୟ ପାରୀକ୍ଷିତି ସେବାଶ୍ରମରେ ପାଳିତ ହୋଇଯାଇଛି । ବିଭିନ୍ନ ବିଦ୍ୟାଳୟମାନଙ୍କରୁ ଶିକ୍ଷକ, ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ନେଇ ଶିକ୍ଷା ସମ୍ବନ୍ଧୀୟ ସଚେତନତା ବାର୍ତ୍ତା, ବ୍ୟାନର ଓ ପ୍ଲାକାର୍ଡ ଧରି ରାମନାଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ଶୋଭାଯାତ୍ରା ବାହାରି ସ୍ୱାକ୍ଷରତା ସ୍ଲୋଗାନ ମାଧ୍ୟମରେ ମୁଖ୍ୟ ବଜାର ଦେଇ ପାରୀକ୍ଷିତି ସେବାଶ୍ରମରେ ପହଞ୍ଚିଥିଲେ । ଏହି ଶୋଭାଯାତ୍ରାରେ ତ୍ରିପତି ମହାପାତ୍ର ଓ ପ୍ରପନ କୁମାର ତ୍ରିପାଠୀଙ୍କ ସହିତ ୧୧ଟି କ୍ଲଷ୍ଟର ଗଡ଼ିକର ସଂଯୋଜକ ଏବଂ ଶିକ୍ଷକ ଶିକ୍ଷୟିତ୍ରୀମାନେ ଉପସ୍ଥିତ ରହି ସହଯୋଗ କରିଥିବାବେଳେ ପାରୀକ୍ଷିତି ସେବାଶ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ନିମନ୍ତ୍ରିତ ଅତିଥିଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଗୁଣୁପୁର ବିଧାୟକ ରଘୁନାଥ ଗମାଙ୍ଗ, ମୁଖ୍ୟବକ୍ତା ଭାବେ ରାମନାଗୁଡ଼ା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜନ ମଲ୍ଲିକ, ସମ୍ମାନିତ ଅତିଥିରୂପେ ପାରୀକ୍ଷିତି ସରପଞ୍ଚ ସୂର୍ଯ୍ୟରାଓ କୁମ୍ବ୍ରିକା, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ସୁଣ୍ଡି ଧାମୁଣି ସମିତି ସଭ୍ୟ କମଳ ଲୋଚନ ମୁଟିକା, ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଦାମୋଦର ହିମିରିକା ଓ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ଯୋଗ ଦେଇଥିଲେ । ୧୫ ବର୍ଷ ବୟସରୁ ୩୫ ବର୍ଷ ବୟସ ମଧ୍ୟରେ ସମାଜରେ ରହି ଯାଇଥିବା ନିରକ୍ଷରଙ୍କୁ ଚିହ୍ନଟ କରି ମୁଖ୍ୟସ୍ରୋତରେ ସାମିଲ କରାଇବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ବୋଲି ଉପସ୍ଥିତ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପାରୀକ୍ଷିତି ସେବାଶ୍ରମ ପ୍ରଧାନଶିକ୍ଷୟିତ୍ରୀ ସନ୍ଧ୍ୟାରାଣୀ ଗମାଙ୍ଗ ଓ ଶିଶିର ପଣ୍ଡା ପରିଚାଳନା କରିଥିଲେ । ଶେଷରେ ଗୁଲୁମୁଣ୍ଡା କ୍ଲଷ୍ଟର ସଂଯୋଜକ ରମେଶ ଚନ୍ଦ୍ର ମିଶ୍ର ଧନ୍ୟବାଦ ଦେଇଥିଲେ ।