ଦେବଗଡ଼,ଏନ୍ଏନ୍ଏସ୍: ଦେବଗଡ଼ ଜିଲ୍ଲା ପୌରାଞ୍ଚଳ ଅନ୍ତର୍ଗତ କିଛି ସ୍ୱେଚ୍ଛାସେବୀଙ୍କୁ ନେଇ ଗଠିତ ହୋଇଥିବା ବାମଣ୍ଡା ସେବା ଦଳର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସୁନାମୁଣ୍ଡାସ୍ଥିତ ଏକ ପର୍ଯ୍ୟଟନ ସ୍ଥଳୀରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଆବାହକ ସୁରେନ ନାୟକଙ୍କ ଆବାହକତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଉମା ଶଙ୍କର ସାହୁ, ଏସଡିସିସି ବ୍ୟାଙ୍କ ବରଗଡ଼ର ପୂର୍ବତନ ସଭାପତି ଅମରେନ୍ଦ୍ର ଗଙ୍ଗଦେବଙ୍କ ସମେତ ସଂଘର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲାର ବହୁ ଗୁରୁତ୍ୱପୂର୍ଣ୍ଣ ଉନ୍ନତିମୂଳକ କାର୍ଯ୍ୟକ୍ରମ ସଂଘର ନିଜ ଖର୍ଚ୍ଚରେ ତୁଲାଇବା ପାଇଁ ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି । ସେଥିମଧ୍ୟରୁ ଦେବଗଡ଼ ପୌରାଞ୍ଚଳବାସୀଙ୍କ ପାଇଁ ଯଥାଶୀଘ୍ର ଶବଦାହ ନିମନ୍ତେ ଏକ ଶବ ବାହକ ୪ ଚକିଆ ଯାନ ମାଗଣାରେ ପୌରାଞ୍ଚଳର ଯେକୌଣସି ସ୍ଥାନରୁ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଶଯୋଗାଇ ଦେବା ପାଇଁ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ନିଆଯାଇଛି । ଦେବଗଡ଼ ଜନସାଧାରଣଙ୍କୁ ଏସବୁ ସୁବିଧା ଆଗାମୀ ଅପ୍ରେଲ ୧୪ ତାରିଖ ତଥା ହନୁମାନ ଜୟନ୍ତୀ ଦିନଠାରୁ ପ୍ରଦାନ କରାଯିବା ନେଇ ସଂଘ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ସଂଘକୁ ଆର୍ôଥକ ସହାୟତା ପ୍ରଦାନ କରିବା ପାଇଁ ଇଛୁକ ବ୍ୟକ୍ତି ବିଶେଷ ବା ସଂଘ କିଭଳି ଭାବେ ସାହାଯ୍ୟ କରିପାରିବେ ତାହା ଆଗାମୀ ଦିନରେ ବିଭିନ୍ନ ସମ୍ବାଦପତ୍ର, ସୋସିଆଲ ମିଡ଼ିଆ, ଟ୍ୱିଟର୍ ଓ ନିଜସ୍ୱ ୱେବସାଇଟ୍ ମାଧ୍ୟମରେ ଅବଗତ କରାଇବା ପାଇଁ ପଦକ୍ଷେପ ନିଆଯିବ ବୋଲି ବାମଣ୍ଡା ସେବା ଦଳ ସାଧାରଣ ସମ୍ପାଦକ ସ୍ୱେଛାସେବୀ ଦୀପକ କୁମାର ଦାଶ ସୂଚନା ପ୍ରଦାନ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ବିକାଶ କୁମାର ଖଡିରତ୍ନ, ଭଜମୋହନ ସାହୁ, ପ୍ରତାପ କୁମାର ପାତ୍ର, ସୁଶିଲ କୁମାର ନାୟକ, ଶିଶିର ବେହେରା, ସିମାଞ୍ଚଳ ଦ୍ୱିବେଦୀ ଓ ସାମ୍ବାଦିକ ପ୍ରତାପ କିଶୋର ନାୟକ ଆୟୋଜିତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଶେଷରେ ସଂଘର ବରିଷ୍ଠ ସଭ୍ୟ ପ୍ରଭାତ ଗଡ଼ନାୟକ ଧନ୍ୟବାଦ ଦେଇଥିଲେ ।