ପୁରୀ,ଏନ୍ଏନ୍ଏସ୍: ପବିତ୍ର ଶ୍ରୀରାମ ନବମୀ ଅବସରରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥକାଠ ଚିରା କାର୍ଯ୍ୟ ଅନୁକୂଳ ହୋଇଛି। ଶ୍ରୀମନ୍ଦିର ନୀତି ପ୍ରଶାସକ ଆଜ୍ଞାମାଳ ନେଇ ସ୍ଥାନୀୟ ଖପୁରିଆସ୍ଥିତ ଓଡ଼ିଶା ବନ ଉନ୍ନୟନ ନିଗମ ଲିମିଟେଡର କରତକଳ ଓ ଡିପୋରେ ପହଞ୍ôଚବା ପରେ ପୂଜାର୍ଚ୍ଚନା ସହ ରଥକାଠ ଚିରଟ ଆରମ୍ଭ ହୋଇଥିଲା। କରୋନା ସଂକ୍ରମଣ ଦୃଷ୍ଟିରୁ ସେଠାରେ ଜନସମାଗମ ନହେବା ଏବଂ ରଥକାଠ ଚିରଟ ସମୟରେ ସାମାଜିକ ଦୂରତା ବଜାୟ ରଖାଯିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ତେବେ ଗତ ସରସ୍ୱତୀ ପୂଜା ଅବସରରେ ରଥକାଠ ପୂଜାର୍ଚ୍ଚନା ହୋଇଥିଲା। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାରେ ୩ ଦିଅଁଙ୍କ ପାଇଁ ତାଳଧ୍ୱଜ, ଦର୍ପଦଳନ ଓ ନନ୍ଦିଘୋଷ ରଥ ନିର୍ମାଣ କରାଥାଏ। ଏହି ୩ ରଥ ନିର୍ମାଣ ପାଇଁ ଆବଶ୍ୟକ କାଠ ଚିରଟ ଆରମ୍ଭ ହୋଇଛି। ଆସନ୍ତା ଅକ୍ଷୟତୃତୀୟା ତିଥିରୁ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି।