ରାଜସ୍ଥାନରେ ଆରମ୍ଭ ହେଲା ‘ଇନ୍ଦିରା ରୋଷେଇ’ ଯୋଜନା

ଜୟପୁର,ଏଜେନ୍ସି: ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଜୟନ୍ତୀ ଅବସରରେ ଗୁରୁବାର ରାଜସ୍ଥାନ ସରକାରଙ୍କ ପକ୍ଷରୁ ‘ଇନ୍ଦିରା ରୋଷେଇ’ ଯୋଜନା ଆରମ୍ଭ କରାଯାଇଛି। ‘କେହି ଭୋକିଲା ଶୋଇବେନି’ ସ୍ଲୋଗାନ୍ ସହ ଭିଡିଓ କନ୍ଫରେନ୍ସିଂ ଯୋଗେ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହ୍ଲଟ୍। ଏହି ଯୋଜନା ଦ୍ୱାରା ୮ଟଙ୍କାରେ ଖାଦ୍ୟ ମିଳିବ। ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ‘ଅନ୍ନପୂର୍ଣ୍ଣା ରୋଷେଇ ଯୋଜନା’ ବଦଳରେ ଗେହ୍ଲଟ୍ ଏହି ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ରାଜ୍ୟର ୨୧୩ଟି ସହରାଞ୍ଚଳରେ ୩୫୮ଟି ରୋଷେଇ କେନ୍ଦ୍ର ଦ୍ୱାରା ଆରମ୍ଭ କରାଯାଇଛି। ଏହି ଯୋଜନାରେ ୮ଟଙ୍କାରେ ୧୦୦ଗ୍ରାମ୍ ଡାଲି, ୧୦ଗ୍ରାମ୍ ପରିବା ତରକାରି ଏବଂ ୨୫୦ଗ୍ରାମ୍ ଅଟାର ରୁଟି ଦିଆଯିବ। କେନ୍ଦ୍ରରେ ବସି ଲୋକ ଖାଇପାରିବେ। ଏହି ଯୋଜନା ଦ୍ୱାରା ପ୍ରତ୍ୟେକ ଦିନ ୧ଲକ୍ଷ ୩୪ହଜାର ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ବାର୍ଷିକ ୪କୋଟି ୮୭ଲକ୍ଷ ଲୋକଙ୍କୁ ଏହି ଖାଦ୍ୟ ଯୋଗାଇ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ଖାଦ୍ୟକେନ୍ଦ୍ରଗୁଡ଼ିକ ସକାଳ ସାଢେ ଆଠରୁ ଦିପହର ୧ଟା ଏବଂ ସନ୍ଧ୍ୟା ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ଖୋଲା ରହିବ। ପ୍ରଥମେ ରାଜସ୍ଥାନର ରାଜଧାନୀ ଜୟପୁରର ୨୦ଟି ସ୍ଥାନରେ ଏହି କେନ୍ଦ୍ର ସ୍ଥାପନ କରାଯାଇ ଯୋଜନାର ଶୁଭାରମ୍ଭ କରାଯାଇଛି।