ସିବିଆଇ ତଦନ୍ତର ପ୍ରଥମ ଦିନ: ସୁଶାନ୍ତଙ୍କ ରୋଷେୟାଙ୍କୁ ଜେରା

ମୁମ୍ବାଇ,ଏଜେନ୍ସି : ସିବିଆଇ ପକ୍ଷରୁ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ପୁଣିଥରେ ମୂଳରୁ ଆରମ୍ଭ କରାଯାଇଛି। ବିହାର ପୁଲିସଙ୍କ ଏଫ୍ଆଇଆରକୁ ଭିତ୍ତି କରି ଆରମ୍ଭ ହୋଇଥିବା ତଦନ୍ତ ପ୍ରକ୍ରିୟାର ପ୍ରଥମ ଦିନରେ ସୁଶାନ୍ତଙ୍କ ରୋଷେୟା ନୀରଜଙ୍କୁ ଜେରା କରାଯାଇଛି। ସେଥିପାଇଁ ସିବିଆଇ ଟିମ୍ ଶୁକ୍ରବାର ରୋଷେୟାଙ୍କୁ ଅଫିସକୁ ଡକାଇଥିଲା। ତଦନ୍ତ କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ୧୦ ଜଣିଆ ସିବିଆଇ ଟିମକୁ ତିନୋଟି ଭାଗରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଭାଗରେ ତିନିଜଣ ଅଧିକାରୀ ଅଛନ୍ତି। ସିବିଆଇର ଦ୍ୱିତୀୟ ଟିମ ବାନ୍ଦ୍ରା ଡିସିପି ଅଭିଷେକ ତ୍ରିମୁଖେଙ୍କ ଅଫିସରେ ପହଞ୍ଚି  ପ୍ରାୟ ଘଣ୍ଟାଏ କାଳ ରହିଥିଲା। ସେଠାରୁ କିଛି ଦସ୍ତାବିଜ ଗ୍ରହଣ କରିବା ପରେ ବାନ୍ଦ୍ରା ପୁଲିସ ଷ୍ଟେସନକୁ ଯାଇଥିଲା। ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ନୀରଜ ତାଙ୍କୁ ଜୁସ୍ ପିଇବାକୁ ଦେଇଥିଲେ। ସୁଶାନ୍ତଙ୍କ ଫ୍ଲାଟକୁ ଯାଇ ସିବିଆଇ ଟିମ୍ ତଦନ୍ତ କରିବାର ସମ୍ଭାବନା ଅଛି। ରିୟା ଚକ୍ରବର୍ତ୍ତୀଙ୍କ ଗିରଫଦାରି ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଶ୍ନ ପଚାରିବାରୁ ସିବିଆଇ ଟିମ କିଛି ନକହି ଚାଲି ଯାଇଥିଲେ। ସିବିଆଇ ଅଧିକାରୀମାନେ ରିୟା ଓ ତାଙ୍କ ପରିବାର ଲୋକଙ୍କୁ ଜେରା କରିବେ ବୋଲି ସଙ୍କେତ ଦେଇଥିଲେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ରୁଜୁ କରାଯାଇଥିବା ମନି ଲଣ୍ଡରିଂ ଘଟଣାର ସ୍ଥିତି ସମ୍ପର୍କରେ ସିବିଆଇ ଟିମ ତଥ୍ୟ ସଂଗ୍ରହ କରିଛି। ସିବିଆଇ ଅଧିକାରୀମାନେ ସୁଶାନ୍ତଙ୍କ ଭଉଣୀ ପ୍ରିୟଙ୍କାଙ୍କୁ ଜେରା କରିଛନ୍ତି। ସୁଶାନ୍ତଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରିୟଙ୍କା ନୋମିନୀ ଅଛନ୍ତି। ସିବିଆଇ ମୁଖ୍ୟତଃ ୬ଟି ଗୁରୁତ୍ୱପୂର୍ଣ୍ଣ ବିଷୟ ପ୍ରତି ଦୃଷ୍ଟିପାତ କରୁଛି। ସୁଶାନ୍ତ ଆତ୍ମହତ୍ୟା କରିଛନ୍ତି ନା ହତ୍ୟାର ଶିକାର ହୋଇଛନ୍ତି। କେଉଁ କାରଣରୁ ଏଭଳି ସ୍ଥିତି ଉପୁଜିଲା ? ସୁଶାନ୍ତଙ୍କ ମୃତ୍ୟୁ ପଛରେ ରିୟା, ତାଙ୍କ ପରିବାର, ବଲିଉଡ୍ ଜଗତର କିଛି ଚର୍ଚ୍ଚିତ ବ୍ୟକ୍ତି ଅବା ସୁଶାନ୍ତଙ୍କ ଘରେ କାମ କରୁଥିବା କର୍ମଚାରୀଙ୍କର ହାତ ରହିଛି କି ? ସୁଶାନ୍ତ ଡିପ୍ରେସନ୍ ଭଳି କୌଣସି ରୋଗର ଶିକାର ହୋଇଥିଲେ କି ? ସେ ସମ୍ପର୍କରେ ଡାକ୍ତରଙ୍କ ମତାମତ ସଂଗ୍ରହ କରାଯିବ। ସୁଶାନ୍ତଙ୍କ ବାପା ଡାକ୍ତରଙ୍କ ମନ୍ତବ୍ୟ ପ୍ରତି ସନ୍ଦେହ ପ୍ରକାଶ କରିଛନ୍ତି। ସୁଶାନ୍ତଙ୍କ ଆୟ ଓ ବ୍ୟୟ ସମ୍ପର୍କରେ ତାଙ୍କ ବାପା କେକେ ସିଂଙ୍କ କରିଥିବା ଅଭିଯୋଗର ଯାଞ୍ଚ କରିବ ସିବିଆଇ। ସୁଶାନ୍ତଙ୍କ ବ୍ୟବଚ୍ଛେଦ ରିପୋର୍ଟର ସତ୍ୟତା ଓ ଫରେନ୍ସିକ୍ ରିପୋର୍ଟର ବାସ୍ତବିକତା ସିବିଆଇ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସୁଶାନ୍ତଙ୍କ ମୃତ୍ୟୁଭେଦ ଜାଣିବା ସିବିଆଇ ପକ୍ଷେ ଏକ ଚାଲେଞ୍ଜ ନିଶ୍ଚିତ।