ନୂଆଦିଲ୍ଲୀ,ଏଜେନ୍ସି: ସମାଜର ଅବହେଳିତ ତଥା ନିଷ୍ପେଷିତ ଶିଶୁଙ୍କ ଶିକ୍ଷା ମାନ୍ୟତା ବୃଦ୍ଧି କରିବାକୁ କାର୍ଯ୍ୟ କରୁଥିବା ଅନୁଷ୍ଠାନ ‘ପ୍ରଥମ’କୁ ଚଳିତବର୍ଷର ଇନ୍ଦିରା ଗାନ୍ଧୀ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି। ଡିଜିଟାଲ ଟେକ୍ନୋଲୋଜି ଯୁଗରେ ଦେଶରେ ପ୍ରତ୍ୟେକ ଶିଶୁ ଯେପରି ମୌଳିକ ଶିକ୍ଷାଲାଭ କରିପାରିବେ, ସେଥିପାଇଁ ଏହି ସଂଗଠନ ବିଗତ ୨୫ ବର୍ଷ ହେଲା ଉଦ୍ୟମ ଚଳାଇ ଆସୁଛି।
କୋଭିଡ୍ ସମୟରେ ଶିକ୍ଷାନୁଷ୍ଠାନଗୁଡିକ ବନ୍ଦ ଥିବାବେଳେ ଏହି ସଂସ୍ଥା କିନ୍ତୁ ଲକ୍ଷ୍ୟ ହାସଲରେ କୌଣସି ବ୍ୟତିକ୍ରମ କରିନଥିଲା। ପୁନଶ୍ଚ ଯେଉଁ ପିଲାମାନେ ଅର୍ଥାଭାବ କିମ୍ବା ଅନ୍ୟ କାରଣରୁ ଅଧାରୁ ପାଠପଢା ଛାଡୁଛନ୍ତି, ସେମାନଙ୍କୁ କିପରି ସ୍କୁଲକୁ ଫେରାଇ ଆଣି ପୂର୍ଣ୍ଣାଙ୍ଗ ଭାବେ ଶିକ୍ଷିତ କରାଯିବ, ସେ ଦିଗରେ ମଧ୍ୟ ସଂସ୍ଥା ଆନ୍ତରିକ ଉଦ୍ୟମ ଜାରି ରଖିଛି ବୋଲି ଇନ୍ଦିରା ଗାନ୍ଧୀ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ କୁହାଯାଇଛି। ବର୍ତ୍ତମାନ ଦେଶର ୧୦ ଲକ୍ଷ ଅବହେଳିତ ଶିଶୁ ଏହି ସଂସ୍ଥା ଜରିଆରେ ପ୍ରତ୍ୟକ୍ଷଭାବେ ଶିକ୍ଷାଲାଭ କରୁଥିବା ଜଣାପଡିଛି।