ଦିବ୍ୟାଙ୍ଗ ନାବାଳକକୁ ବିମାନଯାତ୍ରାରୁ ବାରଣ ଘଟଣା, କ୍ଷମା ମାଗିଲେ ଇଣ୍ଡିଗୋ କର୍ତ୍ତୃପକ୍ଷ

ନୂଆଦିଲ୍ଲୀ,ଏଜେନ୍ସି: ରାଞ୍ଚି ବିମାନବନ୍ଦରରେ ଜଣେ ଦିବ୍ୟାଙ୍ଗ ନାବାଳକକୁ ବିମାନଯାତ୍ରା ସମୟରେ ବାରଣ କରିବା ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମାଗିଲା ବିମାନ କମ୍ପାନୀ ‘ଇଣ୍ଡିଗୋ’। ଘଟଣାର ଭିଡିଓ ଭାଇରାଲ ହେବା ପରେ ସାରା ଦେଶରେ ବିମାନ କମ୍ପାନୀ ଇଣ୍ଡିଗୋର ସେବା ପ୍ରଦାନ ବ୍ଯବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଆଜି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଉକ୍ତ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି।

ସେହିପରି କେବଳ ଏହି ଘଟଣାରେ ଦୁଃଖ ପ୍ରକାଶ ନୁହେଁ ବରଂ ଏହି ପ୍ରକାର ଘଟଣା ପ୍ରତି କମ୍ପାନୀ ସମ୍ବେଦନଶୀଳ ହେବା ସହ ଯାତ୍ରା କରୁଥିବା ଭିନ୍ନକ୍ଷମ ନାବାଳକ ନାବାଳିକାଙ୍କ ସହାୟତା ପାଇଁ ଇଲେଟ୍ରିକ ହ୍ବିଲ ଚ୍ୟାୟାର ସେବା ଯୋଗାଇ ଦେବା ପାଇଁ ମଧ୍ୟ ଘୋଷଣା କରିଛନ୍ତି କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ।

୭ ତାରିଖରେ ରାଞ୍ଚି ବିମାନବନ୍ଦରରେ ଜଣେ ଭିନ୍ନକ୍ଷମ ନାବାଳକ ନିଜ ପିତାମାତାଙ୍କ ସହ ହାଇଦ୍ରାବାଦ ଯାତ୍ରା କରୁଥିବାବେଳେ ବିମାନରେ ବୋର୍ଡିଂ ସମୟରେ ତାଙ୍କୁ ବାରଣ କରିଥିଲେ ବିମାନ କମ୍ପାନୀ ସଦସ୍ୟ। ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିମାନ କମ୍ପାନୀ ପ୍ରତି ଚାପ ବଢିବାରେ ଲାଗିଥିଲା।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟ ସିନ୍ଧିଆ ମଧ୍ୟ ଘଟଣାକୁ ନିନ୍ଦା କରିଥିଲେ। ଏପରି ଆଚରଣ ଆଦୌ ଗ୍ରହଣୀୟ ନୁହେଁ। କୌଣସି ମଣିଷକୁ ଏପରି ସମସ୍ୟାରେ ସମ୍ମୁଖୀନ ହେବା ଅନୁଚିତ ବୋଲି କହିବା ସହ ଘଟଣାର ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ହେବା ନେଇ ମଧ୍ୟ ସିନ୍ଧିଆ ଟ୍ବିଟ କରିଥିଲେ। ସେହିପରି ବିମାନ ଚଳାଚଳ ନିର୍ଦ୍ଦେଶାଳୟ ମଧ୍ୟ ଇଣ୍ଡିଗୋକୁ ଏ ନେଇ ରିପୋର୍ଟ ତଲବ କରିଥିଲା। ଶେଷରେ ଇଣ୍ଡିଗୋ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଛି।