ଭାରତୀୟ ବଂଶୋଦ୍ଭବ ଋଷି ସୁନକ ହେବେ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ !

ନୂଆଦିଲ୍ଲୀ: ଲକଡାଉନ ସମୟରେ ନିଜ ସରକାରୀ ବାସଭବନରେ ମଦ ପାର୍ଟି କରିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କୁ ଅଡ଼ୁଆରେ ପକାଇଛି। ବ୍ରିଟେନରେ ତାଙ୍କର କାର୍ଯ୍ୟକଳାପକୁ ନେଇ ଲୋକେ ଅସନ୍ତୋଷ ଜାହିର କରିବା ସହ ଜୋନସନ ଯଥାଶୀଘ୍ର ଇସ୍ତଫା ଦେବେ ବୋଲି ଚର୍ଚ୍ଚା ହେଉଛି। ଆଉ ଯଦି ଏମିତି ହୁଏ ତେବେ ଭାରତୀୟ ବଂଶୋଦ୍ଭବ ଋଷି ସୁନକ ବ୍ରିଟେନର ନୂଆ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଋଷି ଭାରତୀୟ ଉଦ୍ୟୋଗପତି ନାରାୟଣ ମୂର୍ତ୍ତିଙ୍କ ଜ୍ୱାଇଁ ତଥା ବ୍ରିଟେନର ଅର୍ଥମନ୍ତ୍ରୀ।

ଉକ୍ତ ଘଟଣାଟି ୨୦୨୦ ମେ’ରେ ଘଟିଥିଲା। କରୋନା ଯୋଗୁ ଲକଡାଉନ ଲାଗିଥିବାବେଳେ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ୍ ତାଙ୍କ ସରକାରୀ ବାସଭବନ ଡାଉନିଙ୍ଗ ଷ୍ଟ୍ରୀଟରେ ଲକଉଡାନ ନିୟମକୁ ଉଲ୍ଲଂଘନ କରି ପାର୍ଟି କରିଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ କେବଳ ବିରୋଧୀ ନୁହେଁ ତାଙ୍କ ଦଳର ନେତାମାନେ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି। ବ୍ରିଟେନ ଜନତା ମଧ୍ୟ କ୍ଷୋଭ ପ୍ରକାଶ କରିଥିଲେ। ଏଥିଯୋଗୁ ଗତ ବୁଧବାର ଦିନ ବୋରିସ ଜନସନ ହାଉସ ଅଫ୍ କମର୍ସରେ କ୍ଷମା ପ୍ରାର୍ଥନା କରିଥିଲେ। ଏହାପରେ ଇସ୍ତଫା ଦେବା ପାଇଁ ଜୋନସନଙ୍କ ଉପରେ ଚାପ ପକାଯାଉଛି।
ହାଉସ ଅଫ୍ କମର୍ସରେ ବୋରିସ ଜନସନ୍ କହିଛନ୍ତି ଯେ, ମୁଁ କ୍ଷମା ମାଗିବାକୁ ଚାହୁଁଛି। ମୁଁ ଜାଣିଛି ଗତ ୧୮ ମାସରେ ଲକ୍ଷାଧିକ ଲୋକ ଅସାଧାରଣ ବଳିଦାନ ଦେଇଛନ୍ତି। ମୁଁ ଜାଣିଛି ସେମାନେ ମୋତେ ଓ ସରକାରକୁ ନେଇ କ’ଣ ଚିନ୍ତା କରୁଥିବେ।