ନୂଆଦିଲ୍ଲୀ,ଏଜେନ୍ସି: ଶନିବାର ଅର୍ଥାତ ଅଗଷ୍ଟ ୧୪ରେ ପାକିସ୍ତାନ ନିଜର ସ୍ଵାଧୀନତା ଦିବସ ପାଳନ କରୁଛି। ଏହି ଅବସରରେ ଜମ୍ମୁ ଓ କଶ୍ମୀରରେ ନିୟନ୍ତ୍ରଣ ରେଖା ନିକଟରେ ଭାରତୀୟ ଓ ପାକିସ୍ତାନୀ ସେନା ପରସ୍ପରକୁ ମିଠା ବାଣ୍ଟିଛନ୍ତି। ଉତ୍ତର କାଶ୍ମୀରର କୁପଓ୍ଵାଡା ଜିଲ୍ଲାର ଚିଲିହାନା ତୀର୍ଥଓ୍ଵାଲା କ୍ରସିଂ ପଏଣ୍ଟର ପାସ୍ ଟଙ୍ଗଧର ସେକ୍ଟରରେ ଭାରତୀୟ ଆର୍ମିର ଯବାନ ପାକିସ୍ତାନୀ ସେନାର ଯବାନଙ୍କୁ ମିଠା ଦେଇ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇଛନ୍ତି।

ଏହି ବିଷୟରେ ସୂଚନା ଦେଇ ସେନାର ଅଧିକାରୀ କହିଛନ୍ତି, ଅଗଷ୍ଟ ୧୪ରେ ଇଣ୍ଡିଆନ ଆର୍ମି ବନ୍ଧୁତ୍ଵର ସହ ଚିଲିହାନା ତୀର୍ଥଓ୍ଵାଲ କ୍ରସିଂ ପଏଣ୍ଟ ନିକଟରେ ପାକିସ୍ତାନୀ ସେନାର ଯବାନଙ୍କୁ ମିଠା ଦେଇଛନ୍ତି। ସେମାନଙ୍କୁ ସ୍ଵାଧୀନତା ଦିବସର ଶୁଭେଚ୍ଛା ଜଣାଇବା ସହ ଶୁଭକାମନା ମଧ୍ୟ ଜଣାଇଛନ୍ତି। ଭାରତୀୟ ସେନାର ଏହି ପଦକ୍ଷେପ ଦର୍ଶାଉଛି ଯେ, ଏଲଓସିରେ ଶାନ୍ତି ବଜାୟ ରଖିବା ପାଇଁ ସେମାନେ ତତ୍ପର।

ଭାରତୀୟ ଆର୍ମି ପକ୍ଷରୁ କୁହାଯାଇଛି, ଭାରତ ଅନେକ ବର୍ଷ ଧରି ପ୍ରୟାସ କରି ଆସିଛି ଯେ, ପଡୋଶୀ ଦେଶ ପାକିସ୍ତାନ ସହ ସମ୍ବନ୍ଧ ମଜଭୁତ ହେଉ। ଏଥିପାଇଁ ବିଶେଷ ମୁହୂର୍ତ୍ତରେ ଭାରତୀୟ ସେନା ପାକିସ୍ତାନୀ ଯବାନଙ୍କୁ ଶୁଭେଚ୍ଛା ଜଣାଇ ପରସ୍ପରକୁ ମିଠା ଦେଇଥାନ୍ତି।
