ଆଇଟିବିପିର ୨୦ ଯବାନଙ୍କୁ ମିଳିବ ବୀରତା ପଦକ

ନୂଆଦିଲ୍ଲୀ,ଏଜେନ୍ସି: ଭାରତ-ତିବ୍ବତ ସୀମା ପୁଲିସ(ଆଇଟିବିପି)ର ୨୦ ଯବାନଙ୍କୁ ୭୫ ତମ ସ୍ଵାଧୀନତା ଦିବସ ଅବସରରେ ବୀରତା ପଦକରେ ସମ୍ମାନିତ କରାଯିବ। ଯବାନମାନେ ବାସ୍ତବିକ ନିୟନ୍ତ୍ରଣ ରେଖା(ଏଲଏସି)ରେ ସଂଘର୍ଷ ସମୟରେ ପୂର୍ବ ଲଦାଖର ଗଲଓ୍ଵାନ ଘାଟି ଓ ଗୋଗ୍ରା ହଟ୍ ସ୍ପ୍ରିଙ୍ଗରେ ଚୀନ ସୈନିକଙ୍କୁ କଡ଼ା ଜବାବ ଦେବା ସହ ସେନା ସହିତ କାନ୍ଧରେ କାନ୍ଧ ମିଶାଇ ଲଢିଥିଲେ।

କେନ୍ଦ୍ରୀୟ ଗୃହ ମନ୍ତ୍ରଣାଳୟ ଶନିବାର କହିଛନ୍ତି, ଜମ୍ମୁ-କଶ୍ମୀର ପୁଲିସର ୨୫୭ କର୍ମଚାରୀ ସହିତ ମୋଟ୍ ୬୩୦ ପୁଲିସ କର୍ମୀଙ୍କୁ ସେମାନଙ୍କର ବାହାଦୂରୀ ପାଇଁ ପଦକରେ ସମ୍ମାନିତ କରାଯିବ। ଜମ୍ମୁ-କଶ୍ମୀର ପୁଲିସ କର୍ମୀଙ୍କୁ ଆତଙ୍କବାଦ ବିରୋଧୀ ଅଭିଯାନ ଓ ଆଇନ ବ୍ୟବସ୍ଥା ସଂପର୍କିତ କାର୍ଯ୍ୟ ପାଇଁ ବୀରତା ପ୍ରଦାନ କରାଯାଏ। ସମଗ୍ର ଦେଶରେ ଉଗ୍ରବାଦ ଓ ନକ୍ସଲ ବିରୋଧୀ ଅଭିଯାନରେ ସାମିଲ ସିଆରପିଏଫର ଯବାନଙ୍କୁ ଏ ପର୍ଯ୍ୟନ୍ତ ୧୫୨ ପଦକ ଦିଆଯାଇଛି।

ଆଇଟିବିପିର ମୁଖପାତ୍ର ବିବେକ ପାଣ୍ଡେ କହିଛନ୍ତି, ଆଇଟିବିପିକୁ ୨୩ ବୀରତା ପଦକ ମିଳିଛି। ୨୦୨୦ ମେ’-ଜୁନରେ ପୂର୍ବ ଲଦାଖରେ ସଂଘର୍ଷ ସମୟରେ ବାହାଦୂରୀ ପାଇଁ ଏହି ପଦକ ଦିଆଯାଇଛି।