ନୂଆଦିଲ୍ଲୀ,ଏଜେନ୍ସି: ଆର୍ମି ଓ ନୌସେନା ପରେ ଏବେ ଭାରତୀୟ ବାୟୁସେନାରେ ମଧ୍ୟ ମହିଳା ଅଗ୍ନିବୀରଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଆସନ୍ତା ବର୍ଷରୁ ଭାରତୀୟ ବାୟୁସେନାରେ ମହିଳା ଅଗ୍ନିବୀରଙ୍କୁ ସାମିଲ କରାଯିବ ବୋଲି କହିଛନ୍ତି ଏୟାରଫୋର୍ସ ମୁଖ୍ୟ ମାର୍ଶଲ ବିଆର ଚୌଧୁରୀ । ଚଳିତ ବର୍ଷ ପ୍ରାୟ ୩୦୦୦ ଅଗ୍ନିବୀର ଦେଶସେବାରେ ନିୟୋଜିତ ହେଉଥିବା ବେଳେ ସେଥିରେ ମହିଳାଙ୍କୁ ସାମିଲ କରାଯାଇନାହିଁ ।
ଏୟାରଫୋର୍ସରେ ଜଣେ ଅଧିକାରୀ କହିଛନ୍ତି ଯେ, ମହିଳାଙ୍କୁ ଭାରତୀୟ ବାୟୁସେନାରେ ଭର୍ତ୍ତି କରିବା ପୂର୍ବରୁ ପ୍ରଥମେ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ପଡ଼ିବ । ଯେପରିକି ମହିଳା ଅଗ୍ନିବୀରଙ୍କୁ କୌଣସି ପ୍ରକାର ସମସ୍ୟା ହେବ ନାହିଁ । ଭାରତୀୟ ବାୟୁସେନାରେ ଅଫିସର ରାଙ୍କରେ ମହିଳା ସାମିଲ ରହିଛନ୍ତି, ମାତ୍ର ଏୟାରମ୍ୟାନ (ସୈନିକ) ରାଙ୍କ କୌଣସି ମହିଳାଙ୍କୁ ସାମିଲ କରାଯାଇନାହିଁ । ପ୍ରଥମ ଥର ପାଇଁ ଆସନ୍ତା ବର୍ଷରୁ ମହିଳାମାନେ ସୈନିକ ଭାବରେ ଭାରତୀୟ ସେନାରେ ନିୟୋଜିତ ହେବେ ।
ଆସନ୍ତା ବର୍ଷ ପ୍ରାୟ ୩୫୦୦ ଅଗ୍ନିବୀରଙ୍କୁ ଭର୍ତ୍ତି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଏଥିରେ ୩ ପ୍ରତିଶତ ମହିଳା ରହିବେ । ଏହାପରେ ଧୀରେ ଧୀରେ ପ୍ରତିବର୍ଷ ମହିଳାଙ୍କ ସଂଖ୍ୟାକୁ ବୃଦ୍ଧି କରାଯିବ । ୪ ବର୍ଷ ମଧ୍ୟରେ ମହିଳା ଅଗ୍ନିବୀରଙ୍କ ସଂଖ୍ୟାକୁ ୧୦ ପ୍ରତିଶତ କରାଯିବ । ଏହାପରେ ମହିଳା ଅଗ୍ନିବୀରଙ୍କୁ ସମୀକ୍ଷା କରାଯିବ । ଏୟାରଫୋର୍ସରେ ମୋଟ ୩୯ଟି ଟ୍ରେଡ ରହିଥିବା ବେଳେ ମହିଳା ଅଗ୍ନିବୀର ଯେକୌଣସି ଟ୍ରେଡ଼ରେ ସାମିଲ ହୋଇପାରିବେ ।