ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନ: ଡବଲ୍ସରେ ସ୍ବର୍ଣ୍ଣ ପଦକ ଜିତିଲେ ପ୍ରମୋଦ

ଭୁବନେଶ୍ବର,ଏନ୍ଏନ୍ଏସ୍: ଥାଇଲାଣ୍ଡର ପଟ୍ଟାୟା ସହରରେ ଚାଲିଥିବା ଥାଇଲାଣ୍ଡ ପାରା ବ୍ୟାଡମିଣ୍ଟନରେ ଚମକିଛନ୍ତି ଷ୍ଟାର୍‌ ସଟ୍‌ଲର୍‌ ପ୍ରମୋଦ ଭଗତ। ପଦକ ପରେ ପଦକ ଜିତି ଦେଶ ଓ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ପ୍ରମୋଦ । ଟୁର୍ଣ୍ଣାମେଣ୍ଟର ଅନ୍ତିମ ଦିନରେ ପୁରୁଷ ଯୁଗଳ ବର୍ଗରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କ୍ରମରେ ଏକକ ବର୍ଗରେ ରୌପ୍ୟ ଓ ମିଶ୍ରିତ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି ପାରା ଅଲମ୍ପିକ୍ସ ସ୍ବର୍ଣ୍ଣ ପଦକ ବିଜେତା ପ୍ରମୋଦ ଭଗତ।

ଡବଲ୍ସରେ ପ୍ରମୋଦ ଓ ସୁକାନ୍ତ କଦମ ଯୋଡ଼ି ଫାଇନାଲ ମୁକାବିଲାରେ ଇଣ୍ଡୋନେସିଆର ଦ୍ବିୟୋକୋ ଓ ଫ୍ରେଡି ସେଟିୱାନଙ୍କୁ ୨୧-୧୩, ୨୧-୧୩ ସିଧାସଳଖ ସେଟରେ ପରାସ୍ତ କରି ସ୍ବର୍ଣ୍ଣ ଜିତିଛନ୍ତି । ସେହିପରି ସିଙ୍ଗଲ୍ସ ଇଭେଣ୍ଟ ଫାଇନାଲରେ ଇଂଲଣ୍ଡର ଡାନିଏଲ ବେଥେଲଙ୍କଠୁ ୧୩-୨୧, ୧୯-୨୧ ସେଟ୍‌ରେ ପରାସ୍ତ ହୋଇ ରୌପ୍ୟ ପଦକ ଜିତିଛନ୍ତି । ସେହିପରି ମିଶ୍ରିତ ଯୁଗଳ ବର୍ଗରେ ମନୀଷା-ପ୍ରମୋଦ ଯୋଡ଼ି ସେମିରେ ଫ୍ରାନ୍ସ ଯୋଡ଼ି ଲୁକାସ ମାଜୁର ଓ ଫଷ୍ଟିନଙ୍କଠାରୁ ୧୩-୨୧, ୦୯-୨୧ରେ ପରାସ୍ତ ହୋଇ କାଂସ୍ୟ ଜିତିଛନ୍ତି । ଅନ୍ୟତମ ଓଡ଼ିଆ ଖେଳାଳି ଦୀପରଞ୍ଜନ ବିଶୋୟୀ ଯୁଗଳ ବର୍ଗରେ କାଂସ୍ୟ ପଦକ ହାସଲ କରିଛନ୍ତି । ଦୁଇ ଖେଳାଳିଙ୍କ ଏହି ସଫଳତା ପାଇଁ ପାରା ସ୍ପୋର୍ଟ୍ସ ଆସୋସିଏସନ ଓ ଓଡିଶା ସ୍ପୋର୍ଟ୍ସ ପକ୍ଷରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।