ସ୍ବତନ୍ତ୍ର ରିଲିଫ କମିଶନରଙ୍କ ପ୍ରେସମିଟ, ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା

ଭୁବନେଶ୍ବର,ଏନ୍ଏନ୍ଏସ୍: ବନ୍ୟାକୁ ନେଇ ପ୍ରତିକ୍ରିୟା ରଖିଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ଝାଡ଼ଖଣ୍ଡର ଗାଲୁଡିହ ବ୍ୟାରେଜରେ ୬ ଲକ୍ଷ କ୍ୟୁସେକ ପାଣି ଆସୁଛି । ତେଣୁ ସୁବର୍ଣ୍ଣରେଖା ୬ ଲକ୍ଷ କ୍ୟୁସେକ ପାଣି ଆସୁଛି । ସୁବର୍ଣ୍ଣରେଖା ଅବବାହିକାରେ ପ୍ରବଳ ବନ୍ୟା ହେବାର ସମ୍ଭାବନା ରହିଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଏସଆରସି ।

ଏନେଇ ଏସଆରସି କହିଛନ୍ତି, “ମୟୂରଭଞ୍ଜର କିଛି ସ୍ଥାନ ବାଲେଶ୍ଵର ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖାଦେବ । ବାଲେଶ୍ଵର ଜିଲ୍ଲାର ଭୋଗରାଇ, ଜଳେଶ୍ବର, ନୀଳଗିରୀ ଓ ବସ୍ତା ଅଞ୍ଚଳ ପ୍ରଭାବିତ ହେବ । ଗୋଟିଏ ଓଡ଼୍ରାଫ୍‌ ଓ ଗୋଟିଏ ଏନ୍‌ଡିଆର୍‌ଏଫ୍‌ ନିୟୋଜିତ ହୋଇଛନ୍ତି । ୪୦ଟି ଅପରେସନ ଟିମ ରହିବ ବାଲେଶ୍ଵର ଜିଲ୍ଲାରେ । ବର୍ତ୍ତମାନ ଆମେ ରେସକ୍ୟୁ କାର୍ଯ୍ୟରେ ଲାଗିଛୁ, ଏହା ପରେ ରିଲିଫ କାର୍ଯ୍ୟକୁ ଯିବୁ । ୨୦୦୮ଠୁ ବି ବଡ଼ ବନ୍ୟା ସୁବର୍ଣ୍ଣରେଖା ଅବବାହିକାରେ ହେବାକୁ ଯାଉଛି । ତେଣୁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ରାଜ୍ୟ ସରକାର ସେହି ଅଞ୍ଚଳକୁ ପଠାଇଛନ୍ତି । ସେ ଅଞ୍ଚଳରେ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ନେଇ ସ୍ଥିତିର ମୁକାବିଲା ଦିଗରେ କାମ କରୁଛନ୍ତି ।”

ସେ ଆହୁରି କହିଛନ୍ତି, “ବର୍ତ୍ତମାନ ବୁଢ଼ାବଳଙ୍ଗ ବିପଦ ସଙ୍କେତ ଅତିକ୍ରମ କରି ନାହିଁ ଏବଂ କିଛି ସ୍ଥାନରେ ପାଣି ଖସିବା ଆରମ୍ଭ କରିଛି । ତେଣୁ ବୁଢ଼ାବଳଙ୍ଗରେ କିଛି ସେପରି ସ୍ଥିତି ହେବ ନାହିଁ । ବୈତରଣୀ ବିପଦ ସଙ୍କେତଠୁ ଗୋଟିଏ ମିଟର ଅଧିକ ପାଣି ଅତିକ୍ରମ କରୁଛି । ଆଖୁଆପଦା ଠାରେ କିଛି ସମୟ ପରେ ପାଣି ଖସିବା ଆରମ୍ଭ ହେବ । କାଣି ନଦୀରେ ହୋଇଥିବା ଘାଇ ମରାମତି ହୋଇପାରିନଥିଲା । ଏଣୁ ବନ୍ୟା ପାଣି ପୁଣି ଆସିବାରୁ ସେଠାରେ ପାଣି ପଶିବା ଆରମ୍ଭ କରିଛି । ବୈତରଣୀ ପାଇଁ ଆମେ ଯାଜପୁର ଓ ଭଦ୍ରକକୁ ଆଲର୍ଟରେ ରଖିଛୁ ।”