ଭାରତ ଜିତିଲା ସୁଲତାନ ଜୋହର କପ୍‌: ଫାଇନାଲ୍‌ରେ ଅଷ୍ଟ୍ରେଲିଆକୁ ସୁଟ୍‌ ଆଉଟ୍‌ରେ ହରାଇଲା

ନୂଆଦିଲ୍ଲୀ,ଏଜେନ୍ସି: ମାଲେସିଆରେ ଶନିବାର ଶେଷ ହୋଇଥିବା ଦଶମ ସୁଲତାନ ଜୋହର କପ୍‌ରେ ଭାରତ ୮ ବର୍ଷ ପରେ ବିଜେତା ହୋଇଛି। ଏଥି ସହ ଗ୍ରେଟ ବ୍ରିଟେନ୍ ପରେ ଦ୍ବିତୀୟ ଦେଶ ଭାବେ ସର୍ବାଧିକ ୩ ଥର ଏହି ମର୍ଯ୍ୟାଦାଜନକ ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି। ଭାରତୀୟ ଯୁବ ଦଳ (୨୧ ବ‌ର୍ଷରୁ କମ୍) ଶନିବାର ଫାଇନାଲରେ ଶକ୍ତିଶାଳି ଅଷ୍ଟ୍ରେଲିଆକୁ ସୁଟ୍‌ ଆଉଟ୍‌ ୫-୪ (୧-୧)ରେ ପରାସ୍ତ କରିଥିଲା। ଶେଷ ଥର ପାଇଁ ଭାରତ ୨୦୧୩ ଓ ୨୦୧୪ରେ ଲଗାତାର ବିଜେତା ହୋଇଥିଲା। ୪ ଥର ଉପବିଜେତା ହୋଇଥିବା ଭାରତ ଏଥି ସହିତ ଏହି ପ୍ରତିଯୋଗିତାର ୧୧ ବର୍ଷର ଇତିହାସରେ ସଫଳତମ ଦେଶ ମଧ୍ୟ ହୋଇଛି।

ଶନିବାର ଫାଇନାଲ୍ ମ୍ୟାଚ୍‌ରେ ପ୍ରଥମେ ଭାରତକୁ ଅଗ୍ରଣୀ ଦେଇଥିଲେ ଓଡ଼ିଆ ପୁଅ ସୁଦୀପ ଚିର୍ମାକୋ। ମ୍ୟାଚ୍‌ର ୧୪ତମ ମିନିଟ୍‌ରେ ସେ ଗୋଲ୍ ଦେଇଥିଲେ। ୨୯ତମ ମିନିଟ୍‌ରେ କିନ୍ତୁ ଜ୍ୟାକ୍ ହଲାଣ୍ଡ୍ ଏହାକୁ ବରାବର ସ୍ତରକୁ ନେଇ ଆସିଥିଲେ। ପରବର୍ତୀ ଦୁଇ କ୍ବାର୍ଟର ଗୋଲଶୂନ୍ୟ ରହିବାରୁ ମ୍ୟାଚ୍‌ ସୁଟ୍‌ ଆଉଟ୍ ଖେଳାଯାଇଥିଲା। ଏଥିରୁ ଫଳାଫଳ ପାଇବା ଲାଗି ମଧ୍ୟ ୯ଟି ‌ଲେଖାଏଁ ସଟ୍‌ ମାରିବାକୁ ପଡ଼ିଥିଲା। ପ୍ରଥମ ୫ଟି ବେଳକୁ ସ୍କୋର୍‌ ୩-୩ରେ ରହିଥିଲା। ଏହି ପର୍ଯ୍ୟାୟରେ ସୁଦୀପ ଗୋଲ୍ ଦେବାରେ ନିଷ୍ଫଳ ରହିଥିଲେ ମଧ୍ୟ ‌ସଡନ୍‌ ଡେଥ୍‌ର ଚତୁର୍ଥ ସଟ୍‌ରେ ସଫଳ ହୋଇ ଭାରତକୁ ବିଜେତା କରିଥିଲେ‌। ସାରଦା ନନ୍ଦ ତିୱାରୀ ଏହି ପ୍ରତିଯୋଗିତାରେ ମୋଟ ୭ ଗୋଲ୍ ଦେଇ ଅଗ୍ରଣୀ ସ୍କୋରର୍ ସମ୍ମାନ ପାଇଛନ୍ତି।

ପୂର୍ବରୁ ଭାରତ ୫-୨ ଗୋଲରେ ମାଲେସିଆକୁ, ୫-୧ ଗୋଲରେ ଜାପାନ୍‌କୁ ହରାଇଥିଲା ବେଳେ ଦକ୍ଷିଣ ଆଫ୍ରିକାଠୁ ୪-୫ ଗୋଲରେ ହାରିଯାଇଥିଲା। ଅନ୍ତିମ ଦୁଇ ଲିଗ୍‌ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ଓ ଗ୍ରେଟ୍ ବ୍ରିଟେନ୍ ସହିତ ସମାନ ୫-୫ ଗୋଲ୍‌ରେ ଅମୀମାଂସିତ ରଖିଥିଲା। ବିଜେତା ଭାରତୀୟ ଦଳକୁ ହକି ଇଣ୍ଡିଆ ସଭାପତି ଦିଲୀପ ତିର୍କି ଅଭିନନ୍ଦନ ଜଣାଇଛନ୍ତି। ଦିଲୀପ ଦାୟିତ୍ବ ନେବାର ପ୍ରଥମ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାରତୀୟ ଯୁବ ଦଳ ବିଜେତା ହୋଇ ହୃତ ଗୌରବ ଫେରିପାଇବାର ବାଟ ଫିଟାଇଛି।

ଏହି ୬ ଦଳୀୟ ପ୍ରତିଯୋଗିତାର ଶନିବାର ଫାଇନାଲ୍‌ ମ୍ୟାଚ୍‌ ପୂର୍ବରୁ ଦୁଇଟି ପ୍ଲେ ଅଫ୍‌ ମୁକାବିଲା ହୋଇଥିଲା। ଜାପାନକୁ ୩-୧ ଗୋଲ୍‌ରେ ପରାସ୍ତ କରି ୩ ଥର ବିଜେତା ଗ୍ରେଟ୍‌ ବ୍ରିଟେନ୍‌ ତୃତୀୟ ସ୍ଥାନ ଅକ୍ତିଆର କରିଥିଲା ଏବଂ ଆୟୋଜକ ମାଲେସିଆକୁ ୩-୨ ଗୋଲ୍‌ରେ ପରାସ୍ତ କରି ଦକ୍ଷିଣ ଆଫ୍ରିକା ପଞ୍ଚମ ସ୍ଥାନରେ ଅଭିଯାନ ଶେଷ କରିଥିଲା।