ୱେଷ୍ଟଇଣ୍ଡିଜ-ଭାରତ ଟି-୨୦ ଆଇ: ପଞ୍ଚମ ଟି-ଟ୍ବେଣ୍ଟି ଜିତି ୪-୧ରେ ସିରିଜ ସିଲ୍‌ କଲା ଭାରତ

ଫ୍ଲୋରିଡା,ଏଜେନ୍ସି: ଘରୋଇ ୱେଷ୍ଟଇଣ୍ଡିଜ ବିପକ୍ଷରେ ଭାରତ ୪-୧ରେ ଟି-ଟ୍ବେଣ୍ଟି ସିରିଜ ବିଜୟୀ ହୋଇଛି । ଅନ୍ତିମ ତଥା ପଞ୍ଚମ ଟି-ଟ୍ବେଣ୍ଟି ମ୍ୟାଚରେ ଇଣ୍ଡିଜକୁ ୮୮ ରନରେ ପରାସ୍ତ କରିଛି ଭାରତ । ଶ୍ରେୟାସଙ୍କ ଅର୍ଦ୍ଧଶତକ, ଅକ୍ଷର ପଟେଲ, ରବି ବିଷ୍ଣୋଇ ଓ କୁଳଦୀପ ଯାଦବଙ୍କ ଘାତକ ବୋଲିଂ ଦଳକୁ ବିଜୟୀ କରିଛି । ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ ହରାଇ ୧୮୮ ରନ କରିଥିଲା । ଜବାବରେ ଇଣ୍ଡିଜ ମାତ୍ର ୧୦୦ରନ କରିଥିଲା । ଅକ୍ଷର ପଟେଲ ୧୫ ରନ ଦେଇ ୩ ୱିକେଟ ନେଇ ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିବାବେଳେ ଅର୍ଶଦୀପ ସିଂହ ପ୍ଲେୟାର ଅଫ ଦି ସିରିଜ ବିବେଚିତ ହୋଇଥିଲେ ।

ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା । ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ ୧୮୮ ରନ୍ କରିଥିଲା ଭାରତ । ରୋହିତ ଶର୍ମାଙ୍କ ଅନୁପସ୍ଥିତିରେ ବ୍ୟାଟିଂ ଆରମ୍ଭ କରିଥିଲେ ଯୁବ ବ୍ୟାଟର୍ ଇଶାନ କିଶନ ଓ ଶ୍ରେୟସ ଆୟର । ତେବେ ଇଶାନଙ୍କୁ ଆଶାନୁରୂପ ସଫଳତା ମିଳିପାରି ନଥିବା ବେଳେ ଶ୍ରେୟସ ଆୟର ନିଜର ଚମତ୍କାର ପାଳି ଖେଳି ୪୦ ବଲରୁ ୬୪ ରନ ସଂଗ୍ରହ କରିଥିଲେ । ୧୬ ବଲରୁ ୨୮ ରନ କରି ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ରନ୍ ଆଉଟ ହୋଇଥିଲେ । ଦୀପକ ହୁଡ୍ଡା ୨୫ ବଲରୁ (୨ଛକା, ୩ଚୌକା) ୩୮ ରନ କରିଥିଲେ । ଦଳୀୟ ସ୍କୋର ୧୧୪ରେ ହୁଡ୍ଡା ଆଉଟ ହୋଇଥିଲେ । ଶ୍ରେୟସ ଓ ହୁଡା ଆଉଟ ହେବା ପରେ ଭାରତ ରନ ଗାଡି ଧିମେଇ ଯାଇଥିଲା । ପରବର୍ତ୍ତୀ ବ୍ୟାଟର ସଞ୍ଜୁ ସାମସନ ୧୫, ଦିନେଶ କାର୍ତ୍ତିକ ୧୨ ଓ ଅକ୍ଷର ପଟେଲ ୯ ରନ କରି ଆଉଟ ହୋଇଥିଲେ । ପରେ ବ୍ୟାଟିଂ କରିବାକୁ ଆସିଥିବା ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରୁ ଦ୍ରୁତ ୨୮ ରନ (୨ଚୌକା, ୨ ଛକା) କରିଥିଲେ । ୭ ୱିକେଟ ହରାଇ ୧୮୮ ରନ କରିଥିବା ଭାରତ । ଇଣ୍ଡିଜ ପକ୍ଷରୁ ଓଡେନ ସ୍ମିଥ ସର୍ବାଧିକ ୩ଟି ୱିକେଟ ନେଇଥିଲେ ।

୧୮୯ ବିଜୟ ଲକ୍ଷ୍ୟ ନେଇ ପାଳି ଆରମ୍ଭ କରିଥିଲା ୱେଷ୍ଟ ଇଣ୍ଡିଜ । ଭାରତୀୟ ସ୍ପିନର ଅକ୍ଷର ପଟେଲଙ୍କ ଘାତକ ବୋଲିଂର ସାମ୍ନା କରି ପାରି ନଥିଲେ ଇଣ୍ଡିଜ ବ୍ୟାଟର । ଆରମ୍ଭରୁ ହିଁ ବିପର‌୍ୟ୍ୟୟର ସମ୍ମୁଖୀନ ହୋଇଥିଲା ଦଳ । ମାତ୍ର ୮୮ ରନରେ ଦଳର ୬ଟି ୱିକେଟ ପତନ ହୋଇଥିଲା । ଚାରି ନମ୍ବରରେ ବ୍ୟାଟିଂ କରିବାକୁ ଆସିଥିବା ସିମରନ ହେତମେୟର ଅର୍ଦ୍ଧଶତକ ହାସଲ କରିଥିଲେ । ହେଲେ ତାହା ବିଜୟ ପାଇଁ ଯଥେଷ୍ଟ ନଥିଲା । ସିମରନ ୫୬ ରନ କରିଥିଲେ । ଦଳର ରନ ଗାଡି ୧୦୦ରନରେ ଅଟକି ଯାଇଥିଲା । ଭାରତ ପକ୍ଷରୁ ରବି ବିଷ୍ଣୋଇ ସର୍ବାଧିକ ୪ଟି ୱିକେଟ ନେଇଥିଲେ । କୁଲଦୀପ ଯାଦବ ଓ ଅକ୍ଷର ପଟେଲ ୩ଟି ଲେଖାଏଁ ୱିକେଟ ନେଇଥିଲେ ।