ଓଭାଲ୍ ଟେଷ୍ଟ ଜିତିଲା ଭାରତ

  • ଲଣ୍ଡନ: ଲିଡ୍ସ ପରାଜୟର ମଧୁର ପ୍ରତିଶୋଧ ନେଇଛି ଟିମ୍ ଇଣ୍ଡିଆ। ଇଂଲଣ୍ଡକୁ ତା’ ନିଜ ମାଟିରେ ଧରାଶାୟୀ କରିଛି ବିରାଟ ବାହିନୀ। ଲଣ୍ଡନର ଦି ଓଭାଲରେ ଖେଳାଯାଇଥିବା ୪ର୍ଥ ଟେଷ୍ଟକୁ ବେଶ ରୋମାଞ୍ଚକର ଢଙ୍ଗରେ ଜିତି ନେଇଛି ଟିମ୍ ଇଣ୍ଡିଆ। ଶେଷ ଦିନରେ ହିଁ ଇଂଲଣ୍ଡର ୧୦ ୱିକେଟ ଝଡ଼ାଇ ଭାରତ ଚଳିତ ସିରିଜରେ ଦ୍ୱିତୀୟ ବିଜୟ ହାସଲ କରିଛି। ଭାରତ ଦେଇଥିବା ୩୬୮ ରନର ପିଛା କରୁଥିବା ଇଂଲଣ୍ଡ ଶେଷରେ ୨୧୦ ରନରେ ଅଲଆଉଟ ହୋଇଯାଇଛି। ଭାରତ ଏହି ମ୍ୟାଚକୁ ୧୫୭ ରନରେ ଜିତି ଟେଷ୍ଟ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି। ଏବେ ୧୦ ତାରିଖରୁ ୫ମ ତଥା ଶେଷ ଟେଷ୍ଟ ଆରମ୍ଭ ହେବ।
    ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଡ୍ର ରହିଥିବାବେଳେ ଲର୍ଡସରେ ଭାରତ ଜିତିଥିଲା। କିନ୍ତୁ ତୃତୀୟ ଟେଷ୍ଟରୁ ଇଂଲଣ୍ଡ ବାଜିମାତ କରି ସିରିଜକୁ ୧-୧ରେ ବରାବର କରିଦେଇଥିଲା। ଏବେ ଭାରତ ୪ର୍ଥ ମ୍ୟାଚ ଜିତି ପୁଣି ୨-୦ରେ ଆଗୁଆ ହୋଇଯାଇଛି। ଭାରତ ୪ର୍ଥ ଦିବସରେ ଅଲଆଉଟ ହେବାପରେ ଇଂଲଣ୍ଡ ତା’ର ଦ୍ୱିତୀୟ ଇନିଂସ ଆରମ୍ଭ କରିଥିଲା। ଦଳର ଦୁଇ ଓପନର ରୋରୀ ବର୍ନସ ଓ ହସିବ ହମିଦ ଦମଦାର ବ୍ୟାଟିଂ କରିଥିଲେ। ୪ର୍ଥ ଦିନର ଷ୍ଟମ୍ପ ଅପସାରଣ ବେଳକୁ ଇଂଲଣ୍ଡ ବିନା ୱିକେଟରେ ୭୭ ରନ୍ କରିଥିଲା।
    ପଞ୍ଚମ ଦିନରେ ଦଳକୁ ଜିତିବାକୁ ୨୯୨ ରନର ଟାର୍ଗେଟ ରହିଥିବାବେଳେ ଭାରତକୁ ୧୦ ୱିକେଟ ଦରକାର ଥିଲା। ଆଜି ଇଂଲଣ୍ଡର ଦୁଇ ଓପନର ଭଲ ଷ୍ଟାର୍ଟ ଦେଇଥିଲେ। ବର୍ନସ ଓ ହମିଦ ପ୍ରଥମେ ଦଳୀୟ ସ୍କୋରକୁ ୧୦୦ରେ ପହଞ୍ଚାଇଥିଲେ। ଏଥିସହ ନିଜ ନିଜର ଅର୍ଦ୍ଧଶତକ ମଧ୍ୟ ହାସଲ କରିଥିଲେ। ତେବେ ବର୍ନସ୍ (୫୦) ଅର୍ଦ୍ଧଶତକ ମାରିବାର ପରବର୍ତ୍ତୀ ବଲରେ ହିଁ ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଶାର୍ଦ୍ଦୁଲ ଠାକୁର ଆଉଟ୍ କରିଥିଲେ।
    ତାଙ୍କ ସ୍ଥାନ ପୂରଣ କରିବାକୁ ଆସିଥିବା ଡାୱିଡ୍ ମଲାନ୍ ମାତ୍ର ୫ ରନ୍ କରିଥିବାବେଳେ ଦୁର୍ଭାଗ୍ୟବଶତଃ ରନଆଉଟ୍ ହୋଇଥିଲେ।
    ସେଟ୍ ହୋଇସାରିଥିବା ହସିବ ହମିଦ (୬୩) ଜାଡେଜାଙ୍କ ସ୍ପିନ୍ ଜାଲରେ ଫସିଯାଇଥିଲେ। ଇଂଲଣ୍ଡର ସ୍କୋର ୧୪୧ ରନରେ ଥିବାବେଳେ ଜାଡେଜା ତାଙ୍କୁ କ୍ଲିନ୍ ବୋଲ୍ଡ କରି ଭାରତକୁ ତୃତୀୟ ସଫଳତା ଦେଇଥିଲେ। ଏହାପରେ ୧ ରନ୍ ଭିତରେ ତିନି ୱିକେଟ୍ ହରାଇ ଭାରତ ଘରୋଇ ଦଳକୁ ବ୍ୟାକଫୁଟକୁ ଠେଲି ଦେଇଥିଲା। ପ୍ରଥମ ଇନିଂସରେ ଇଂଲଣ୍ଡ ପାଇଁ ସର୍ବାଧିକ ରନ୍ କରିଥିବା ଓଲି ପପ୍ (୨) ଓ ଜନ୍ନି ବେୟାରଷ୍ଟୋ (୦)ଙ୍କୁ ଯଶ୍ରପ୍ରୀତ ବୁମ୍ରା କ୍ଲିନବୋଲ୍ଡ କରିଥିଲେ। ସେହିପରି ସ୍ପିନ୍ ଅଲରାଉଣ୍ଡର ମୋଇନ୍ ଅଲୀ (୦)ଙ୍କୁ ପୁଣିଥରେ ଆଉଟ୍ କରିଥିଲେ ଜାଡେଜା। ସୁପର୍ ଫର୍ମରେ ଥିବା କ୍ୟାପଟେନ୍ ଜୋ ରୁଟ୍ ଓ କ୍ରିସ୍ ଓକ୍ସ ସ୍ଥିତି ସମ୍ଭାଳିବାକୁ ପ୍ରୟାସ କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗିଥିଲେ ଶାର୍ଦ୍ଦୁଲ ଠାକୁର। ଟିମର ସ୍କୋର ୧୮୨ ଥିବାବେଳେ ଶାର୍ଦ୍ଦୁଲ ଇନଫର୍ମ ରୁଟ୍ (୩୬)ଙ୍କୁ କ୍ଲିନ୍ ବୋଲ୍ଡ କରିଥିଲେ। ଏହାପରେ ଓକ୍ସ (୧୮)ଙ୍କୁ ଠିକ୍ ଚା’ ପାନ ବରତି ପୂର୍ବରୁ ପ୍ୟାଭିଲିୟନ୍ ପଠାଇ ଉମେଶ ଯାଦବ ଇଂଲଣ୍ଡର ଅଷ୍ଟମ ୱିକେଟ ଝଡ଼ାଇଥିଲେ।