ନାଗପୁରରେ ସ୍ପିନର୍ସଙ୍କ ଯାଦୁ, ୧୩୨ ରନରେ ଭାରତ ଜିତିଲା ପ୍ରଥମ ଟେଷ୍ଟ

ନାଗପୁର,ଏନ୍‌ଏନ୍‌ଏସ୍‌: ନାଗପୁରରେ ଖେଳା ଯାଇଥିବା ବୋର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟ ମ୍ୟାଚ ଭାରତୀୟ ଟିମ୍ ୧୩୨ ରନରେ ବିଜୟୀ ହୋଇଛି । ଏଥିସହିତ ସିରିଜରେ ୧-୦ରେ ଆଗୁଆ ରହିଛି । ଅଷ୍ଟ୍ରେଲୀୟ ଟିମ୍ ଦ୍ୱିତୀୟ ଇନିଂସରେ ମାତ୍ର ୯୧ ରନରେ ଅଲଆଉଟ ହୋଇଯାଇଥିଲା । ଏଥିରେ ପୁଣି ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ଯାଦୁ ଦେଖିବାକୁ ମିଳିଥିଲା । ଅଶ୍ୱିନ ୧୨ ଓଭର ବୋଲିଂ କରି ମାତ୍ର ୩୭ ରନ ଦେଇ ୫ ୱିକେଟ ନେବାରେ ସଫଳ ହୋଇଥିଲେ । ସେହିପରି ରବିନ୍ଦ୍ର ଜାଡେଜା ଓ ମହମ୍ମଦ ସିରାଜ ୨ଟି ଲେଖାଏଁ ୱିକେଟ ନେଇଥିବାବେଳେ ଅକ୍ଷର ପଟେଲଙ୍କୁ ଗୋଟିଏ ୱିକେଟ ମିଳିଥିଲା । ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ତରଫରୁ ଷ୍ଟିଭ ସ୍ମିଥ ଗୋଟିଏ ପଟେ ଖେଳକୁ ସମ୍ଭାଳିଥିବାବେଳେ ଅନ୍ୟ କୌଣସି ଖେଳାଳି ତାଙ୍କ ସାଥ ଦେଇପାରି ନଥିଲେ ।

ଭାରତୀୟ ଟିମ୍ ପ୍ରଥମ ଇନିଂସରେ ୪୦୦ ରନ୍ କରି ୨୨୩ ରନରେ ଆଗୁଆ ରହିଥିଲା । ଆଉ ଦ୍ୱିତୀୟ ଇନିଂସରେ ଅଷ୍ଟ୍ରେଲିଆ ମାତ୍ର ୯୧ ରନରେ ଅଲଆଉଟ ହୋଇଯିବା ଯୋଗୁ ଭାରତ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ନକରି ୧୩୨ ରନରେ ମ୍ୟାଚ ଜିତି ନେଇଥିଲା ।