ଇଂଲଣ୍ଡ ଗସ୍ତରେ ଦୁଇଟି ୱାର୍ମଅପ୍ ଟି-୨୦ ଖେଳିବ ଭାରତ

ଲଣ୍ଡନ,ଏଜେନ୍ସି: ଆସନ୍ତା ଜୁଲାଇ ୭ରୁ ଭାରତର ଇଂଲଣ୍ଡ ବିପକ୍ଷ ସୀମିତ ଓଭର୍ ସିରିଜ୍ ଆରମ୍ଭ ହେବ। ଉକ୍ତ ସୀମିତ ଓଭର୍ ସିିରିଜ୍‌ରେ ଭାରତ ଘରୋଇ ଇଂଲଣ୍ଡ ବିପକ୍ଷରେ ୨ଟି ଲେଖାଏଁ ଟି-୨୦ ଓ ଦିନିକିଆ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି। ତେବେ ଏହି ସିରିଜ୍ ପୂର୍ବରୁ ଭାରତୀୟ ଟିମ୍ ଦୁଇଟି କାଉଣ୍ଟି ଟିମ୍ ସହ ୱାର୍ମଅପ୍ ମ୍ୟାଚ୍ ଖେଳିବ ବୋଲି ଶନିବାର ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ସ୍ପଷ୍ଟ କରିଛି। ଏହି ଦୁଇଟି ମ୍ୟାଚ୍ ମଧ୍ୟରୁ ପ୍ରଥମ ଟି-୨୦ଟି ଜୁଲାଇ ୧ ତାରିଖରେ ଡର୍ବିଶାୟର୍ ବିପକ୍ଷରେ ଓ ଦ୍ୱିତୀୟ ମ୍ୟାଚ୍‌ଟି ୩ ତାରିଖରେ ନର୍ଥାମ୍ପଟନ୍‌ଶାୟର୍ ବିପକ୍ଷରେ ଖେଳାଯିବା ସକାଶେ ନିଷ୍ପତ୍ତି ହୋଇଛି। ଏହି ଦୁଇଟି ମ୍ୟାଚ୍ ଭାରତର ଗତ ବର୍ଷ କୋଭିଡ୍ ସଂକ୍ରମଣ କାରଣରୁ ବାତିଲ୍ ହୋଇଥିବା ଶେଷ ଟେଷ୍ଟ୍ ଖେଳାଯିବା ଅବସରରେ ଅନୁଷ୍ଠିତ ହେବ। ଉକ୍ତ ଟେଷ୍ଟ୍‌ଟି ଏଜବାଷ୍ଟନ୍‌ଠାରେ ଜୁଲାଇ ୧ରୁ ୫ ତାରିଖ ପର୍ଯ୍ୟନ୍ତ ଖେଳାଯିବ। ଏହି ସିରିଜ୍‌ରେ ଭାରତ ୨-୧ରେ ଆଗୁଆ ରହିଛି।

ସେହିପରି ଉପରୋକ୍ତ ୱାର୍ମଅପ୍ ମ୍ୟାଚ୍ ନେଇ ଦୁଇ କାଉଣ୍ଟି ଟିମ୍‌ର ୱେବ୍‌ସାଇଟ୍‌ରେ ମଧ୍ୟ ସୂଚନା ଦିଆଯାଇଛି। ବିଶ୍ୱର ଏକ ନମ୍ବର ଦଳ ଏହି ୱାର୍ମଅପ୍ ଜରିଆରେ ଆଇସିସି ଟି-୨୦ ବିଶ୍ୱକପ୍ ସକାଶେ ନିଜକୁ ପ୍ରସ୍ତୁତ କରିବ ବୋଲି ଡର୍ବିଶାୟର୍ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି। ସେହିପରି ନର୍ଥାମ୍ପଟନ୍‌ଶାୟର୍ ୱେବ୍‌ସାଇଟ୍‌ରେ ମଧ୍ୟ ଭାରତୀୟ ଦଳକୁ ଏକମାତ୍ର ୱାର୍ମଅପ୍ ଅଭ୍ୟାସ ମ୍ୟାଚ୍ ସକାଶେ ୱାଣ୍ଟେଜ୍ ରୋଡ୍‌କୁ ସ୍ୱାଗତ କରୁଥିବା ଦର୍ଶାଯାଇଛି।

ପ୍ରଥମ ୱାର୍ମଅପ୍ ମ୍ୟାଚ୍‌ଟି ଡର୍ବିଶାୟର ଇନ୍‌କୋରା କାଉଣ୍ଟି ଗ୍ରାଉଣ୍ଡ୍‌ରେ ଓ ଦ୍ୱିତୀୟଟି ନର୍ଥାମ୍ପଟନ୍‌ଶାୟର୍‌ର କାଉଣ୍ଟି ଗ୍ରାଉଣ୍ଡରେ ଖେଳାଯିବ ବୋଲି ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଜୁଲାଇ ୭ରୁ ଟି-୨୦ ଓ ଜୁଲାଇ ୧୨ରୁ ଭାରତ-ଇଂଲଣ୍ଡ ଦିନିକିଆ ସିରିଜ୍ ଆରମ୍ଭ ହେବ। ଏହା ପୂର୍ବରୁ ଭାରତୀୟ ଟିମ୍ ଜୁନ୍ ୨୬ ଓ ୨୮ ତାରିଖରେ ଆୟର୍ଲାଣ୍ଡ୍ ବିପକ୍ଷରେ ମଧ୍ୟ ଦୁଇଟି ଟି-୨୦ ମ୍ୟାଚ୍ ଖେଳିବାର କାର୍ଯ୍ୟକ୍ରମ ରହିଛି।