ଘଣ୍ଟାକୁ ୩୫୦ କିମି ବେଗରେ ଗତି କରୁଥିବା ଟ୍ରେନ୍ ନିର୍ମାଣ କରିବ ଭାରତ

ନୂଆଦିଲ୍ଲୀ: ଭାରତର ରେଳ ବ୍ୟବସ୍ଥାରେ ଦ୍ରୁତ ପରିବର୍ତ୍ତନ ଆଣି ସାମଗ୍ରିକ କ୍ଷେତ୍ରକୁ ବିଶ୍ୱସ୍ତରୀୟ କରିବା ନେଇ କେନ୍ଦ୍ର ସରକାର ଉଦ୍ୟମ ଆରମ୍ଭ କରିଛନ୍ତି। ବିଶେଷକରି ଭାରତୀୟ ରେଳ ନିର୍ମାଣକାରୀ ୟୁନିଟ୍ଗୁଡିକର ଅତ୍ୟାଧୁନିକୀକରଣ କରାଯାଇ ଏଠାରୁ ଘଣ୍ଟାକୁ ୧୬୦ ରୁ ୩୫୦ କିମି ବେଗରେ ଗତି କରିପାରୁଥିବା ବଗି ଠାରୁ ଆରମ୍ଭ କରି ଆଲୁମିନିୟମରେ ପ୍ରସ୍ତୁତ ମେଟ୍ରୋ ଟ୍ରେନ୍ ବଗି ଏବଂ ସର୍ବାଧିକ ଗତି ସମ୍ପନ୍ନ ବୁଲେଟ୍ ଟ୍ରେନ୍ ବଗି ମଧ୍ୟ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି ବୋଲି ରେଳବାଇ ବୋର୍ଡ ଅଧ୍ୟକ୍ଷ ଭି କେ ଯାଦବ କହିଛନ୍ତି।

ଆଇସିଏଫ୍ ଦ୍ୱାରା ପ୍ରସ୍ତୁତ ବଗି ବର୍ତ୍ତମାନ ସର୍ବାଧିକ ଭାବେ ପ୍ରଚଳିତ ହେଉଥିବା ବେଳେ ଏଗୁଡିକ ପୁରୁଣା ଢାଞ୍ଚାରେ ପ୍ରସ୍ତୁତ ହୋଇଛି। କିନ୍ତୁ ଏବେ ଭାରତୀୟ ରେଳବାଇରେ ଆଧୁନିକ ଶ୍ରେଣୀର ବଗି ବ୍ୟବହାର ପାଇଁ ପ୍ରାଧାନ୍ୟ ଦିଆଯାଉଛି। ଚଳିତ ଆର୍ଥିକ ବର୍ଷର ଏପ୍ରିଲରୁ ଅଗଷ୍ଟ ମାସ ମଧ୍ୟରେ ବଗି, ୱାଗନ୍ ଏବଂ ଇଞ୍ଜିନ ଉତ୍ପାଦନ ହାର ୩୦ ପ୍ରତିଶତ ରହିଥିଲା ବେଳେ ଏହା ସାଂପ୍ରତିକ ଆବଶ୍ୟକତା ପୂରଣ କରିବାରେ ସକ୍ଷମ ହେବ ନାହିଁ। ତେଣୁ ଆଗାମୀ ଦିନର ଆବଶ୍ୟକତା ପୂରଣ ପାଇଁ ବଗି ନିର୍ମାଣ କାରଖାନାଗୁଡିକର ଆଧୁନିକୀକରଣ କରାଯାଇ ସେଠାରୁ ବିଶ୍ୱସ୍ତରୀୟ ବଗି ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ଚୀନର ରେଳବାଇ ବ୍ୟବସ୍ଥା ସମ୍ପର୍କରେ ଉଦାହାରଣ ଦେଇ ଶ୍ରୀ ଯାଦବ କହିଛନ୍ତି ଯେ, ବିଗତ କିଛି ବର୍ଷ ମଧ୍ୟରେ ବିଶ୍ୱସ୍ତରୀୟ ବଗି ଉତ୍ପାଦନରେ ଚୀନ୍ ଯଥେଷ୍ଟ ଆଗୁଆ ହୋଇପାରିଛି। ଏପରିକି ଚାଇନା ରେଲୱେ ରୋଲିଂ ଷ୍ଟକ୍ କର୍ପୋରେସନ ପକ୍ଷରୁ ପ୍ରାୟ ୧୦୦ଟି ରାଷ୍ଟ୍ରକୁ ବଗି ରପ୍ତାନି କରାଯାଉଛି। ତେଣୁ ଭାରତରେ ମଧ୍ୟ ଅତ୍ୟାଧୁନିକ ଢାଞ୍ଚାରେ ବଗି ନିର୍ମାଣ କରାଯାଇ ଘରୋଇସ୍ତରର ରେଳ ଚଳାଚଳରେ ଉନ୍ନତି ଅଣାଯିବା ସହିତ ଅନ୍ୟାନ୍ୟ ବିଦେଶୀ ରାଷ୍ଟ୍ରମାନଙ୍କୁ ମଧ୍ୟ ବଗି ରପ୍ତାନି କରାଯିବ ବୋଲି ସେ କହିଛନ୍ତି।

ବର୍ତ୍ତମାନ ଉତ୍ତରପ୍ରଦେଶର ରାଏ ବରେଲି, କପୁରତାଲା, ଚେନ୍ନାଇ, ପଶ୍ଚିମ ବଙ୍ଗର ଚିତ୍ତରଞ୍ଜନ, ବେଙ୍ଗାଲୁରୁ, ବାରାଣସୀ ଏବଂ ପଟିଆଲାରେ ଉଭୟ ବଗି ଏବଂ ଇଞ୍ଜିନ ନିର୍ମାଣ କାରଖାନା ରହିଛି। ଖୁବଶୀଘ୍ର ଷ୍ଟେଟ୍ ଅଫ୍ ଦି ଆର୍ଟ ଟେକନୋଲୋଜି ଉପଯୋଗରେ ଏଗୁଡିକର ଆଧୁନିକୀକରଣ କରାଯାଇ ଅତ୍ୟାଧୁନିକ ବଗି ଏବଂ ଇଞ୍ଜିନ୍ ନିର୍ମାଣ କରାଯିବ ବୋଲି ଶ୍ରୀ ଯାଦବ କହିଛନ୍ତି।