୧୫ରୁ ୧୮ ବର୍ଷ ବୟସର ପିଲାଙ୍କୁ ଆଜିଠୁ ଦିଆଯିବ କରୋନା ଟିକା, ଅନ୍‌ସ୍ପଟରେ ହୋଇପାରିବ ପଞ୍ଜିକରଣ

ନୂଆଦିଲ୍ଲୀ,ଏଜେନ୍ସି: କରୋନାର ୩ୟ ଲହର ନେଇ ସଂକେତ ମିଳିଥିବା ବେଳେ ଭାରତରେ ଆଜି ଠାରୁ ୧୫ରୁ ୧୮ ବର୍ଷ ବୟସର ପିଲାମାନଙ୍କୁ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଉଛି। ଏହି ବର୍ଗର ପିଲାମାନଙ୍କୁ ଟିକା ଦେବା ପାଇଁ ଭାରତ ବାୟୋଟେକ୍‌ ଦ୍ବାରା ଉତ୍ପାଦିକ ଟିକାକୁ ମଞ୍ଜୁରୀ ଦିଆଯାଇଛି।

ଟୀକା ଉତ୍ପାଦନକାରୀ କଂପାନୀ ଭାରତ ବାୟୋଟେକ୍‌ ଦାବି କରିଛି ଯେ, ଟିକାର ପ୍ରଭାବ ପିଲାଙ୍କ ଉପରେ ଭଲ ରହିବ। ପରୀକ୍ଷା ସମୟରେ ଏହି ଟିକା ପିଲାଙ୍କ ଲାଗି ବହୁତ ସୁରକ୍ଷିତ ବୋଲି ଜଣାପଡ଼ିଥିଲା। ପିଲାମାନଙ୍କ ଠାରେ ବୟସ୍କଙ୍କ ତୁଳନାରେ ୧.୭ ଗୁଣ ଆଣ୍ଟିବଡ଼ ପ୍ରସ୍ତୁତ କରିବା ନେଇ କୁହାଯାଇଥିଲା।

ଟିକାକରଣ ପାଇଁ ଗତ ୧ ତାରିଖ ଠାରୁ କୋୱିନ୍‌ ଆପ ଓ ୱେବ୍‌ସାଇଟ୍‌ରେ ପଂଜିକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏଥି ସହିତ ଅନ୍‌ଲାଇନ୍‌ ଓ ଅଫ୍‌ଲାଇନ୍‌ ମାଧ୍ୟମରେ ମଧ୍ୟ ଅନୁମତି ମିଳିପାରୁଛି। ସେହିପରି ଜଣେ ଚାହିଁଲେ ଅନ୍‌ସ୍ପଟରେ ପଂଜିକରଣ କରି ମଧ୍ୟ ଟିକା ନେଇପାରିବେ।