କରୋନା ମହାମାରୀ ସମୟରେ ୧୫୦ଟି ଦେଶକୁ ମେଡିକାଲ ସାମଗ୍ରୀ ପଠାଇଛି ଭାରତ: ଜୟଶଙ୍କର

ନୂଆଦିଲ୍ଲୀ,ଏଜେନ୍ସି: କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରୀ ସୁବ୍ରମଣ୍ୟମ ଜୟଶଙ୍କର ବୁଧବାର କହିଛନ୍ତି, ଭାରତ ସରକାର କରୋନା ମହାମାରୀ ସମୟରେ ୧୫୦ଟି ଦେଶକୁ ମେଡିକାଲ ସାମଗ୍ରୀ ପଠାଇଛି। କିଛି ଦେଶ ଭାରତରୁ ମେଡିକାଲ ସାମଗ୍ରୀ ପାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ବୁଝାମଣା ମଧ୍ୟ କରିଛନ୍ତି।

ଇସ୍ରାଏଲର ‘ଇନଷ୍ଟିଚ୍ୟୁଟ ଅଫ ନ୍ୟାସନାଲ ସିକ୍ୟୁରିଟି’ର ୧୪ତମ ବାର୍ଷିକ ଉତ୍ସବକୁ ସମ୍ବୋଧିତ କରିବା ଅବସରରେ ଜୟଶଙ୍କର କହିଛନ୍ତି ଭାରତ ବିଶାଳ ଟିକାକରଣ ପ୍ରକ୍ରିୟା ଆରମ୍ଭ କରିଦେଇଛି। ସେହିପରି ପଡୋଶୀ ରାଷ୍ଟ୍ରଗୁଡ଼ିକୁ ଭାରତ ଟିକା ଯୋଗାଇଛି। ଆଗାମୀ ଦିନରେ ଭାରତ ଅନ୍ୟ ବନ୍ଧୁ ରାଷ୍ଟ୍ରକୁ ଟିକା ଯୋଗାଇବ। ଆମଠାରୁ ବିଶ୍ୱର ଅନେକ ଦେଶ ଉପକାର ପାଇବେ।

ସୂଚନାଯୋଗ୍ୟ ଯେ, କରୋନା ଯେତେବେଳେ ବିଶ୍ୱରେ ଦେଖାଯାଇଥିଲା, ପ୍ରଥମେ ଭାରତ ବିଦେଶରୁ ମେଡିକାଲ ସାମଗ୍ରୀ ଆଣୁଥିଲା। କିନ୍ତୁ ମହାମାରୀର ସ୍ଥିତି ଅନିୟନ୍ତ୍ରିତ ହେବା ସମୟରେ ଭାରତ ମେଡିକାଲ ସାମଗ୍ରୀ ଗୁଡ଼ିକ ସ୍ୱଦେଶରେ ଉତ୍ପାଦନ କରିବା ଆରମ୍ଭ କରିଥିଲା। ପରବର୍ତ୍ତୀ ସମୟରେ ଭାରତରୁ ବିଦେଶକୁ ମେଡିକାଲ ସାମଗ୍ରୀ ରପ୍ତାନୀ ହୋଇଥିଲା। ବର୍ତ୍ତମାନ ଭାରତରେ ୨ଟି ଟିକା ‘କୋଭିସିଲ୍ଡ’ ଓ ‘କୋଭାକ୍ସିନ’ ଉତ୍ପାଦନ ହେଉଛି। ଦେଶରେ ଗତ ଜାନୁଆରୀ ୧୬ ତାରିଖ ଠାରୁ କରୋନା ଟିକାକରଣ ଆରମ୍ଭ ହେବା ପରେ ଭାରତ ନେପାଳ, ଭୂଟାନ, ବାଂଲାଦେଶ, ମିଆଁମାର, ବ୍ରାଜିଲ ଭଳି ଦେଶକୁ ଟିକା ରପ୍ତାନି କରିଛି।