ବିଶାଖପାଟଣା: ଟେଷ୍ଟ କ୍ୟାରିୟରରେ ପ୍ରଥମ ଥର ପାଇଁ ଓପନିଂ କରି ଭାରତୀୟ ବ୍ୟାଟ୍ସମ୍ୟାନ୍ ରୋହିତ ଶର୍ମା ଶତକ ଅର୍ଜନ ସହ ଏହି ପରୀକ୍ଷାରେ ପାସ୍ ହୋଇଛନ୍ତି। ସ୍ଥାନୀୟ ୱାଇ ଏସ୍ ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡ଼ିୟମରେ ବୁଧବାରଠାରୁ ଆରମ୍ଭ ହୋଇଥିବା ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ରୋହିତ ନିଜ ଟେଷ୍ଟ କ୍ୟାରିୟରର ଦ୍ୱିତୀୟ ଇନିଂସ୍ ଆରମ୍ଭ କରିଛନ୍ତି। ସେ ପୂର୍ବରୁ ମିଡଲ ଅର୍ଡରରେ ବ୍ୟାଟିଂ କରୁଥିଲେ। ଏବେ ଓପନିଂ ଭାର ସମ୍ଭାଳିଛନ୍ତି।

ବର୍ଷା ବାଧାପ୍ରାପ୍ତ ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ଭାରତ ପ୍ରଥମ ଦିନର ଷ୍ଟମ୍ପସ ଅପସାରଣ ବେଳକୁ କୌଣସି ୱିକେଟ୍ ନହରାଇ ୨୦୨ ରନ୍ ସଂଗ୍ରହ କରିଛି। ଷ୍ଟମ୍ପସ ଅପସାରଣ ବେଳକୁ ରୋହିତ ଚତୁର୍ଥ ଟେଷ୍ଟ ଶତକ ହାସଲ କରି ୧୧୫ ଓ ମୟଙ୍କ ଅଗ୍ରୱାଲ ୮୫ ରନ୍ ସଂଗ୍ରହ କରି ଅପରାଜିତ ରହିଛନ୍ତି। ପ୍ରଥମ ଦିବସରେ ଟି ପୂର୍ବରୁ ବର୍ଷା ଯୋଗୁଁ ଖେଳ ବାଧାପ୍ରାପ୍ତ ହୋଇଥିଲା। ଏହି ସମୟରେ ୫୯.୧ ଓଭର ଖେଳ ସମ୍ଭବ ହୋଇଥିଲା ଓ ପରେ ବର୍ଷା ନ ଛାଡିବାରୁ ଅବଶିଷ୍ଟ ଖେଳକୁ ବନ୍ଦ କରିଦିଆଯାଇଥିଲା।
