ଭାରତର ସ୍ଥିତି ମଜଭୁତ, ସାଉଥ୍ ଆଫ୍ରିକାର ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ

ବିଶାଖପାଟଣା: ଓପନର ମୟଙ୍କ ଅଗ୍ରୱାଲଙ୍କ ୨୧୫ ଓ ରୋହିତ ଶର୍ମାଙ୍କ ୧୭୧ ରନ୍ ସହାୟତାରେ ଘରୋଇ ଭାରତ ଏଠାରେ ଚାଲିଥିବା ସାଉଥ୍ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍ରେ ୭ ୱିକେଟ୍ ହରାଇ ୫୦୨ ରନ୍ ସଂଗ୍ରହ କରି ପାଳି ଘୋଷଣା କରିଛି। ଜବାବରେ ଭ୍ରମଣକାରୀ ଦଳ ପ୍ରଥମ ଇନିଂସ୍ରେ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖିନ ହୋଇ ମାତ୍ର ୩୯ରନ୍ରେ ୩ଟି ୱିକେଟ୍ ହରାଇ ସଙ୍କଟରେ ପଡିଛି।

ଏହା ସହ ଭାରତ ସ୍କୋରଠାରୁ ୪୬୩ ରନ୍ ପଛରେ ରହିଛି। ଦ୍ୱିତୀୟ ଦିନର ଷ୍ଟମ୍ପସ୍ ଅପସାରଣ ବେଳକୁ ସାଉଥ୍ ଆଫ୍ରିକା ଓପନର ଡିନ୍ ଏଲଗାର ୨୭ ଓ ତେମ୍ବା ବଭୂମା ୨ ରନ୍ ସଂଗ୍ରହ କରି ଅପରାଜିତ ରହିଥିଲେ। ପୂର୍ବରୁ ଯାହା ଅନୁମାନ କରାଯାଇଥିଲା ତାହାକୁ ସତରେ ପରିଣତ କରି ଦୁଇ ଘରୋଇ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନ ୨ଟି ଓ ରବୀନ୍ଦ୍ର ଜାଡେଜା ଗୋଟିଏ ୱିକେଟ୍ ହାସଲ କରିଥିଲେ। ଏହି ମ୍ୟାଚ୍ରେ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକକୁ ମୟଙ୍କ ଅଗ୍ରୱାଲ ଦ୍ୱିଶତକରେ ପରିଣତ କରିଛନ୍ତି।

ପ୍ରଥମ ଦିନର ଅସମାପ୍ତ ସ୍କୋର ୨୦୨/୦ରୁ ଭାରତୀୟ ଓପନର ରୋହିତ ଓ ମୟଙ୍କ ବ୍ୟାଟିଂ କରିଥିଲେ। ଦ୍ୱିତୀୟ ଦିନର ଏହି ଯୋଡି ଦଳୀୟ ସ୍କୋରରେ ଆଉ ୧୧୫ ରନ୍ ଯୋଗ କରିଥିଲେ। ଦଳୀୟ ସ୍କୋର ୩୧୭ ରନ୍ ରହିଥିବା ବେଳେ ରେହିତ ପ୍ରଥମ ୱିକେଟ୍ ଭାବେ କେଶବ ମହାରାଜଙ୍କ ବଲରେ ଷ୍ଟମ୍ପିଂ ହୋଇଥିଲେ। ଅଧିନାୟକ କୋହଲି ଅପରାଜିତ ମୟଙ୍କଙ୍କ ସହ ଦଳୀୟ ସ୍କୋରରେ ୪୯ ରନ୍ ଯୋଡିଥିଲେ। ମୟଙ୍କ ଦ୍ୱିଶତକ ହାସଲ କରିଥିଲେ।

ସାଉଥ୍ ଆଫ୍ରିକା ପକ୍ଷରୁ ଡିନ୍ ଏଲଗାର ଓ ଏଡେନ୍ ମାର୍କରାମ୍ ପାଳି ଆରମ୍ଭ କରିଥିଲେ। ଦୁଇ ଓପନର ରକ୍ଷଣାତ୍ମକ ଖେଳ ପ୍ରଦର୍ଶନ କରିଥିଲେ। କିନ୍ତୁ ଅଷ୍ଟମ ଓଭରରେ ରବିଚନ୍ଦ୍ରନ୍ ଅଶ୍ୱିନ ଦଳୀୟ ସ୍କୋର ୧୪ ରନ୍ରେ ମାର୍କରାମ (୫)ଙ୍କୁ ବୋଲ୍ଡ ଆଉଟ୍ କରିଥିଲେ। ଦଳୀୟ ସ୍କୋର ୩୧ ରନ୍ରେ ଥେଉନିସ୍ ଡେ ବ୍ରୁଏନ୍ ୪ ରନ୍ କରିଥିବା ବେଳେ ଅଶ୍ୱିନଙ୍କ ଦ୍ୱିତୀୟ ଶିକାର ହୋଇଥିଲେ। ଏହାର ୩ ରନ୍ ବ୍ୟବଧାନରେ ଡେନ୍ ପିଏଡଟ୍ ଜାଡେଜାଙ୍କ ଦ୍ୱାରା ବୋଲ୍ଡ ଆଉଟ୍ ହେବା ସହ ଡକ୍ ହୋଇଥିଲେ।