ସଇଁନ୍ତଲାରେ ଭାରତ ବନ୍ଦ ପ୍ରଭାବଶୂନ୍ୟ, ଆଶାକର୍ମୀଙ୍କ ଡାକ୍ତରଖାନା ଆଗରେ ଧାରଣା

ସଇଁନ୍ତଲା,ଏନ୍‌ଏନ୍‌ଏସ୍‌: ଦେଶବ୍ୟାପୀ ୨ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହାର ପ୍ରଭାବ ସଇଁନ୍ତଲା ବ୍ଲକରେ ପଡ଼ିନଥିବା ଦେଖିବାକୁ ମିଳିଛି । ବ୍ଲକର ବିଡିଓ କାର୍ଯ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ ସମେତ ବିଭିନ୍ନ କାର୍ଯ୍ୟାଳୟ ଖୋଲା ରହିଥିଲା । ପରେ ସ୍ଥାନୀୟ କଂଗ୍ରେସ କର୍ମୀମାନେ ଯାଇ ଏହାକୁ ବନ୍ଦ କରାଇଥିଲେ । କିନ୍ତୁ ବ୍ଲକରେ ବିଶେଷ ପ୍ରଭାବ ଦେଖିବାକୁ ମିଳିନାହିଁ । ଦୋକାନ ବଜାର ସହ ଗାଡ଼ି ଚଳାଚଳ କରୁଥିବାବେଳେ ଲୋକଙ୍କ ଭିଡ଼ ମଧ୍ୟ ଦେଖା ଦେଇଛି । ତେବେ ଘରୋଇକରଣ ବନ୍ଦ କରିବା, ଅଣଆନୁଷ୍ଠାନିକ କ୍ଷେତ୍ରକୁ ସାର୍ବଜନୀନ ସାମାଜିକ ସୁରକ୍ଷା ପ୍ରଦାନ, ପେଟ୍ରୋଲିୟମ ଉତ୍ପାଦ ସାମଗ୍ରୀ ଉପରୁ ଟିକସ ହ୍ରାସ, ଦରଦାମ ବୃଦ୍ଧିକୁ ନୟନ୍ତ୍ରଣ କରିବା ପାଇଁ ପଦକ୍ଷେପ ଗ୍ରହଣ, ଠିକା ଶ୍ରମିକଙ୍କୁ ସ୍ଥାୟୀ କରିବା ଓ ସମାନ କାମକୁ ସମାନ ମଜୁରୀ ନୀତି ଲାଗୁ କରିବା ଭଳି ଦାବି ନେଇ ଆଜି ଧର୍ମଘଟ କରାଯାଉଛି ।

କେନ୍ଦ୍ରୀୟ ଟ୍ରେଡ ୟୁନିୟନ ସଂଗଠନ ୧୨ ଦଫା ଦାବି ନେଇ ଆଜି ଓ ଆସନ୍ତାକାଲି ୨ଦିନ ପାଇଁ ଏହି ବନ୍ଦ ଡାକରା ଦେଇଥିବାବେଳେ ଭାରତ ବନ୍ଦ ଡାକରାରେ ଓଡ଼ିଶା ଆଶାକର୍ମୀ ସଂଘର ସଦସ୍ୟାମାନେ ସାମିଲ ହୋଇଛନ୍ତି । ସ୍ଥାନୀୟ ଡାକ୍ତରଖାନା ଆଗରେ ଧାରଣା ଦେବା ସହ ରାଜ୍ୟ ସରକାର ଆଶାମାନଙ୍କୁ ଅଣଦେଖା କରୁଥିବାବେଳେ କୋଭିଡ ସମୟରେ ନିଜ ଜୀବନକୁ ବାଜି ଲଗାଇ ଯୁଦ୍ଧ କରୁଥିବା ଆଶାଙ୍କୁ ସହାୟତା ଯୋଗାଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଆନ୍ଦୋଳନକୁ କଂଗ୍ରେସ ଦଳର ବରିଷ୍ଠ ନେତା ଉତ୍ତମ ପୁଟେଲଙ୍କ ନେତୃତ୍ୱରେ ଅମିତ ରଥ, ଚନ୍ଦ୍ର ଚନ୍ଦନ, ଛନ୍ଦା ବେହେରା, ପ୍ରମୋଦ ପଣ୍ଡା, ମେଘନାଦ ପ୍ରଧାନ, ନରେଶ ରଣା ଓ ଟିଟିଲାଗଡ଼ ମିଡିଆ ସେଲ ସଂଯୋଜକ ସୁବ୍ରତ ବେହେରା ସମେତ କଂଗ୍ରେସ ଦଳର କର୍ମୀମାନେ ସମର୍ଥନ କରିଥିଲେ ।