ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦: ଓସିଏ ଆଣିଲା ସୁପର ସୋପର ମେସିନ, ମିନିଟ୍‌ରେ ଶୁଖାଇଦେବ ବର୍ଷାପାଣି

କଟକ,ଏନ୍ଏନ୍ଏସ୍: ବାରବାଟୀ ମ୍ୟାଚ ପାଇଁ ନାହିଁ ବର୍ଷା ଭୟ। ଓସିଏକୁ ଆସିଲା ଅଷ୍ଟ୍ରେଲିଆନ ସୁପର ସୋପର। ବର୍ଷା ସମୟରେ ରକ୍ଷା କବଚ ପାଲଟିବ ଏହି ସୁପର ସୋପର ମେସିନ। ଜୁନ ୧୨ ତାରିଖରେ ହେବାକୁ ଥିବା ଭାରତ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚରେ ଏହି ସୁପର ସୋପର ବାର୍ଷା ବିପକ୍ଷରେ ଲଢିବ। ମୌସୁମୀ କାରଣରୁ ଯଦି ବର୍ଷା ହୁଏ ତେବେ ଷ୍ଟାଡିଅମକୁ ସଙ୍ଗେସଙ୍ଗେ ସୁଖାଇବ ଏହି ମେସିନ।

୫୦ ଲକ୍ଷ ଟଙ୍କା ବ୍ୟୟରେ ସୁପର ସୋପର ମେସିନ ଆଣିଛି ଓଡିଶା କ୍ରିକେଟ ଆସୋସିଏସନ(ଓସିଏ)। ଅଷ୍ଟ୍ରେଲିଆରେ ନିର୍ମିତ ଏହି ଅତ୍ୟାଧୁନିକ ମେସିନ କିଛି ସମୟ ମଧ୍ୟରେ ପଡିଆକୁ ସୁଖାଇ ଦେବ। ଏହାସହ ରାତି ସମୟରେ କାକରକୁ ମଧ୍ୟ ସୁଖାଇବାରେ ସହାୟକ ହେବ। ଏହାବ୍ୟତୀତ ଯଦି ମ୍ୟାଚ ସମୟରେ ବର୍ଷା ହୁଏ ତେବେ ସ୍ୟାଣ୍ଡ ବେଶ ଆଉଟ ଫିଲ୍ଡ ଏବଂ ଏହି ଅଷ୍ଟ୍ରେଲିଆନ ସୁପର ସୋପର ଗ୍ରାଉଣ୍ଡକୁ ରକ୍ଷା କରିବେ। ତେବେ ଓସିଏ ପାଇଁ ଏହି ମେସିନ ବେଶ୍ ଲାଭ ଦାୟକ ହେବ ବୋଲି କହିଛନ୍ତି ଓସିଏ ମୁଖ୍ୟ ପିଚ୍‌ କ୍ୟୁରେଟର।

ଅନ୍ୟପଟେ ଏହି ମେସିନରେ ୩୦୦ ଲିଟରରୁ ଊର୍ଦ୍ଧ୍ବ ଜଳ ଧାରଣ କ୍ଷମତା ରହିଛି। ଏହାକୁ ଚଳାଇବା ପାଇଁ ଅଧିକ କର୍ମଚାରୀର ମଧ୍ୟ ଆବଶ୍ୟକତା ନାହିଁ। ଏହାଛଡ଼ା ଅନ୍ୟ ସୁପର ସୋପର ଅପେକ୍ଷା ଏହା ଅଧିକ କ୍ଷିପ୍ର ଓ ଭରସାଯୋଗ୍ୟ। କିଛି ସମୟ ମଧ୍ୟରେ ଗ୍ରାଉଣ୍ଡରୁ ସବୁ ବର୍ଷା ଜଳକୁ ସୁଖାଇବା ପରେ ୨୮ ମିନିଟରେ ପାଣିକୁ ଡ୍ରେନେଜ କରିବ ଏହି ମେସିନ। ଯାହାଦ୍ୱାରା ଖେଳକୁ ପୁନଃ ଆରମ୍ଭ କରିବାରେ ବେଶ ସହାୟକ ହେବ। ତେବେ ଏହି ଅଷ୍ଟ୍ରେଲିଆନ ସୁପର ସପର ଭାରତର ବଡ଼ ବଡ଼ ଷ୍ଟାଡିଅମରେ ରହିଛି। ଯାହା ବର୍ଷା ପରେ ଖେଳ ଆରମ୍ଭ କରିବାରେ ମୁଖ୍ୟ ସହାୟକ ହୋଇଥାଏ। ତେବେ ବାରବାଟୀ ମ୍ୟାଚକୁ ଆଉ ମାତ୍ର କିଛିଦିନ ବାକି ଥିବାବେଳେ ଗ୍ରାଉଣ୍ଡରେ ଏହି ସୋପର ମେସିନକୁ ଟ୍ରାଏଲ କରିଛନ୍ତି ଓସିଏ କର୍ମଚାରୀ।